September 13, 2026
IMG-20260913-WA0027
Share

 

ସମ୍ବଲପୁର, ୧୩. ୦୯:ଅନୁରାଧା ପୁରୋହିତଙ୍କ ଗଳ୍ପ ସଂକଳନ ଜନକ୍‌ ରାଏତ ସମ୍ବଲପୁରୀ ସାହିତ୍ଯ ଏକ ଅସାଧାରଣ ସଫଳ କୃତି। ଏହା ଯେ କୌଣସି ମାନକ ଭାରତୀୟ ଭାଷାର ସାଂପ୍ରତିକ ଗଳ୍ପ ସାହିତ୍ଯ ସହିତ ସମକକ୍ଷ ସାହିତ୍ଯ ହେବାର ଯୋଗ୍ଯ। ଯେତେବେଳେ ବିଶ୍ବବିଦ୍ଯାଳୟୀନ ଶିକ୍ଷାର ଅଂଗ ହେବ ସମ୍ବଲ୍‌ପୁରୀ ଭାଷା ସାହିତ୍ଯ, ସେତେବେଳେ ଏହି ପୁସ୍ତକଟି ପାଠ୍ଯକ୍ରମରେ ସ୍ଥାନ ପାଇବ ବୋଲି ବିଶିଷ୍ଟ ସମାଲୋଚକ ଡକ୍ଟର ଗୌରୀଦାସ ପଧାନ ପ୍ରକାଶ କରିଛଂତି। ଗତକାଲି ସଂଧ୍ଯାରେ ସ୍ଥାନୀୟ ସାଂବାଦିକ ଭବନ ପରିସରରେ ଏହି ପୁସ୍ତକଟିର ଲୋକାର୍ପଣ ଉତ୍ସବରେ ଆଲୋଚକ ଭାବରେ ଯୋଗଦାନ କରି ସେ ଏହାର ବିଭିନ୍ନ ସାହିତ୍ଯିକ ମୂଲ୍ଯ ଦର୍ଶାଇଥିଲେ। ଅନ୍ଯତମ ଆଲୋଚିକା ସୁସାହିତ୍ଯିକା ସାବିତ୍ରୀ ପୁରୋହିତ କହିଲେ ଯେ “ଜନକ୍‌ ରାଏତ୍‌” ମାନବୀୟ ସଂବେଦନାର ଜୀବନ୍ତ ପ୍ରତିନିଧିତ୍ବ କରେ। ପ୍ରତ୍ଯେକଟି ଗଳ୍ପ ସାମାଜିକ ଜୀବନର ବାସ୍ତବତା ସହିତ ପାଠକଂକୁ ଯୋଡ଼ିଥାଏ। କେବଳ ଲେଖାଲେଖିରେ ନୁହେଁ ବରଂ ପ୍ରତ୍ଯେକଟି ଜ୍ବଳଂତ ସମସ୍ଯାର ସମାଧାନ ପାଇଁ ଲେଖକ ଓ ପାଠକର ସାମାଜିକ ପ୍ରତିବଦ୍ଧତା ଆହ୍ବାନ କରେ। ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଡ: ଦ୍ବାରିକାନାଥ ନାୟକ ଏହି କ୍ଷୁଦ୍ରଗଳ୍ପ ସଂକଳନ ଯୁବସମାଜକୁ ସଂବଲ୍‌ପୁରୀ ଭାଷାରେ ସାହିତ୍ଯ ସର୍ଜନା କରିବାକୁ ଯଥେଷ୍ଟ ପ୍ରେରଣା ଯୋଗାଇବ ବୋଲି ଆଶା ପୋଷଣ କରିଥିଲେ। ସଭାପତି ଡ: ଶ୍ଯାମସୁନ୍ଦର ଧର ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକ ଲେଖିକାଙ୍କ ସମଲ୍‌ପୁରୀ ଭାଷାରେ ଭାବପ୍ରକାଶର ଦକ୍ଷତା, ବର୍ଣନାରେ କୁଶଳତା ସାଂଗକୁ ଜନଜୀବନର ବିଭିନ୍ନ ସମସ୍ଯା ସହିତ ପାଠକର ଦୃଷ୍ଟି ଆକର୍ଷଣ କରିବାର ନିପୁଣତାର ଭୁୟସୀ ପ୍ରଶଂସା କରିଥିଲେ। ଏହି ସଭାରେ ଦେବାର୍ଚନ ଠାକୁର, ଡଃ ସିଦ୍ଧାର୍ଥ ପଣ୍ଡା , ଜୟକୃଷ୍ଣ ବେହେରା, ହୃଷିକେଶ ପୂଜାରୀ, ଡଃ ସୁଧାଂଶୁ ଭୂଷଣ ଷଣ୍ଢ , ତରଣୀସେନ ମେହେର, ଡଃ କାମଦେବ ସାହୁ, ଡଃ ନୀଳେଂଦ୍ରୀ ପଣ୍ଡା , ଡଃ ଗିରିଧାରୀ ହୋତା, ଏଡ୍‌ଭୋକେଟ୍‌ ଅଶୋକ ମହାପାତ୍ର ପ୍ରମୁଖ ଲେଖକଲେଖିକା, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦାନ କରିଥିଲେ। ଏହି ସଭାର ଆୟୋଜିକା ତଥା ପୁସ୍ତକଟିର ପ୍ରକାଶିକା ଡଃ ନିରୁପମା ବଡ଼ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଡଃ ସୁଧାଂଶୁ ଭୂଷଣ ଷଣ୍ଢ ଧନ୍ଯବାଦ ଅର୍ପଣ କରିଥିଲେ।

You may have missed