ପୁଲିସକୁ ଛୁରିରେ ଆକ୍ରମଣ ଅଭିଯୋଗ, ଯୁବକ ଗିରଫ ; ତଦନ୍ତକୁ ଯାଇଥିବା କର୍ମଚାରୀଙ୍କୁ ଗାଳିଗୁଲଜ ଓ ଧମକ; ଛୁରି ଜବତ
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ତଦନ୍ତ କାର୍ଯ୍ୟରେ ଯାଇଥିବା ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଜୀବନରେ ମାରିଦେବାକୁ ଧମକ ଦେବା ସହ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୁଲିସ ବାଜପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ନାଲିଆ ଓରଫ ଦୀପକ ମାଝୀ (୨୩)। ତାଙ୍କ ନିକଟରୁ ଏକ ଛୁରି ଜବତ କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୪୦ରେ ଖୋର୍ଦ୍ଧା ସଦର ଥାନା କେସ୍ ନଂ ୪୩୯/୨୦୨୬ର ତଦନ୍ତ ସମ୍ପର୍କରେ କିଛି ପୁଲିସ କର୍ମଚାରୀ ବାଜପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଦୀପକ ମାଝୀ ଘରୁ ବାହାରି ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଦୀପକ ଘର ଭିତରୁ ଏକ ଛୁରି ଆଣି କନଷ୍ଟେବଳ ସୁଶାନ୍ତ ସୁନ୍ଦରାୟଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ କନଷ୍ଟେବଳଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଘଟଣା ପରେ ଦୀପକ ସେଠାରୁ ଫେରାର ହୋଇଯାଇଥିଲେ।ଘଟଣା ସମ୍ପର୍କରେ ଚନ୍ଦ୍ରମଣି ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ଖୋର୍ଦ୍ଧା ସଦର ଥାନାରେ ୧୨ ତାରିଖରେ କେସ ନଂ ୪୪୧/୨୦୨୬ ରୁଜୁ କରାଯାଇଥିଲା। ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୩୨, ୨୨୧, ୨୨୨, ୨୯୬, ୧୦୯(୧), ୧୧୮(୧) ଓ ୩୫୧(୨) ଲାଗୁ କରାଯାଇଛି।ଅଭିଯୋଗ ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅପରାହ୍ନ ପ୍ରାୟ ୩ଟା ୧୫ରେ ଦୀପକ ମାଝୀଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଅଭିଯୋଗରେ ବ୍ୟବହୃତ ଛୁରିଟି ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ, ଦୀପକ ମାଝୀ ଓରଫ ନାଲିଆଙ୍କ ବିରୋଧରେ ପୂର୍ବରୁ ମଧ୍ୟ ପୁଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଏହି ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ରୁଜୁ ହୋଇଥିବା କେସ ନଂ ୪୩୯/୨୦୨୬ରେ ତାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି।ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
