September 13, 2026

ବିବାହିତ ଭଉଣୀଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣି ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ..

IMG-20260912-WA0055
Share

କୋଷଗୁମୁଡା(ଦୟାରାମ ପନକା)ଅଭିଯୋଗ ଆଧାରରେ କୋଷାଗୁମୁଡ଼ା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ଭତ୍ରାଙ୍କୁ କୋଷାଗୁମୁଡ଼ା ପୋଲିସ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁସାରେ, କୋଷାଗୁମୁଡ଼ା ନିକଟସ୍ଥ ମାଳିଆଟିଗାଁର ହରିଶ୍ଚନ୍ଦ୍ର ଭତ୍ରାଙ୍କ ସହ ପ୍ରାୟ ୪ ବର୍ଷ ତଳେ କମଳା ଭତ୍ରା (୨୩)ଙ୍କ ବିବାହ ହୋଇଥିଲା। ତାଙ୍କର ୩ ବର୍ଷର ଏକ ପୁଅ ଥିବା ଜଣାପଡ଼ିଛି।ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁସାରେ, କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେଉଥିଲା। ଗୁରୁବାର ସକାଳେ କମଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ହତ୍ୟା କରିବା ପରେ ଫାଶୀରେ ଝୁଲାଇ ଦିଆଯାଇଥିବା ଅଭିଯୋଗ କରି ଭାଇ ବଳି ପୂଜାରୀ କୋଷାଗୁମୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଥାନାଧିକାରୀ ଶ୍ରୀମତୀ ବାଙ୍ଗି, ଏସ୍‌ଆଇ ପର୍ଶୁରାମ ଛତ୍ରିଆଙ୍କୁ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କମଳାଙ୍କ ମୃତଦେହ ଉଦ୍ଧାର କରି କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିଥିଲା। ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ଏହି ଘଟଣାକୁ ନେଇ କୋଷାଗୁମୁଡ଼ା ଥାନାରେ କେସ୍ ନମ୍ବର ୨୦୪/୨୬ରେ ବିଏନଏସ୍‌ର ଧାରା ୮୫ ଓ ୧୦୩(୧) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି।

ଆଜି କମଳାଙ୍କ ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି। ଆଜି ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଅଭିଯୁକ୍ତ ସ୍ୱାମୀ ହରିଶ୍ଚନ୍ଦ୍ର ଭତ୍ରାଙ୍କୁ କୋଷାଗୁମୁଡ଼ା ପୋଲିସ କୋଡ଼ିଙ୍ଗା କୋର୍ଟ ଚାଲାଣ ପରେ ନବରଙ୍ଗପୁର କାରାଗାର କୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଶ୍ରୀମତୀ ବାଙ୍ଗି ସୂଚନା ଦେଇଛନ୍ତି ।

You may have missed