ଗାଁ କଲ୍ୟାଣ ସମିତିର ଦାୟିତ୍ୱ ଓ ଭୂମିକା ନେଇ ସଚେତନତା ଶିବିର
ପଡିଆ, ୦୭/୦୯: ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଡେମଗୁଡା ଗ୍ରାମରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଗାଁ କଲ୍ୟାଣ ସମିତିର ଉଦ୍ଦେଶ୍ୟ, ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ବିଶେଷକରି ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରସବ ପୂର୍ବ ଓ ପ୍ରସବ ପରବର୍ତ୍ତୀ ଯତ୍ନ, ଶିଶୁଙ୍କ ଟୀକାକରଣ, ପୁଷ୍ଟି, ରକ୍ତହୀନତା ନିରାକରଣ, ପରିମଳ ଓ ସ୍ୱଚ୍ଛତା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମବାସୀଙ୍କୁ ସରକାରୀ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହିତ ଯୋଡିବା, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସମୟୋଚିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିବା ଏବଂ ଗ୍ରାମର ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରି ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ନେବାରେ ଗାଁ କଲ୍ୟାଣ ସମିତିର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସମିତିର ନିୟମିତ ବୈଠକ, ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା ଏବଂ ଆଶା, ଅଙ୍ଗନବାଡି କର୍ମୀ, ଏଏନଏମ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ନେଇ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। ଏହି କର୍ମଶାଳାରେ ଗାଁ କଲ୍ୟାଣ ସମିତି ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ଗ୍ରାମର ବିଭିନ୍ନ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବାରେ ଏଭଳି କର୍ମଶାଳା ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
