September 8, 2026

ଓଡ଼ିଶାର ଖଣି ଏବଂ ଜମିକୁ ଛଡାଇ ନେବାର ଚକ୍ରାନ୍ତ ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତିବାଦ ସଭା ..

IMG-20260907-WA0053
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

କେନ୍ଦ୍ରର ବିଜେପି ସରକାର ଷଡଯନ୍ତ୍ର କରି ମାଇନ୍ସ ଏବଂ ମିନେରାଲସ ଡେଭେଲପମେଣ୍ଟ ଆକ୍ଟରେ ଆମେଣ୍ଡମେଣ୍ଟ ଆଣି ଓଡ଼ିଶାର ଖଣି ଏବଂ ଖଣି ଥିବା ଜମିକୁ ନିଜ ଅଧୀନକୁ ନେଇ ଯାଇଛନ୍ତି | ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାର ବିଜେପି ସରକାର ଏବଂ ଓଡ଼ିଶାରୁ ନିର୍ବାଚିତ ୨0 ଜଣ ବିଜେପି ସାଂସଦ ଏହି ଖଣି ଏବଂ ଖଣିଥିବା ଜମିର ଚୋରିକୁ ସମର୍ଥନ କରିଛନ୍ତି ।

୨୦୨୬ ରେ ଏମଏମଡ଼ିଆର ଆକ୍ଟ (MMDR ACT) ଆମେଣ୍ଡମେଣ୍ଟ କରି କେନ୍ଦ୍ର ସରକାର ଖଣିଥିବା ସମସ୍ତ ଜମିକୁ ନିଜ ଅଧୀନକୁ ନେଇ ଯାଇଛନ୍ତି । ଜମି ଓଡ଼ିଶାବାସୀଙ୍କର ହୋଇଥିବା ବେଳେ ଏହାକୁ କେନ୍ଦ୍ର ନିଜ ଅଧୀନକୁ ନେବା ଓଡ଼ିଶାବାସୀଙ୍କ ପ୍ରତି ବିଶ୍ଵାସଘାତକତା ଅଟେ । ବର୍ତ୍ତମାନ ଏହି ଖଣି ଥିବା ଜମି ଉପରେ ଓଡ଼ିଶା ସରକାର କେନ୍ଦ୍ରର ବିନା ଅନୁମତି ରେ କୌଣସି ଟ୍ୟାକ୍ସ ବସାଇ ପାରିବ ନାହିଁ । ଯାହାଦ୍ଵାରା ଖଣିଥିବା ଜିଲ୍ଲା ଗୁଡିକର ବିକାଶ ପାଇଁ ଗଠିତ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ୍ (DMF) କୁ ଆସୁଥିବା ପ୍ରାୟ ବାର୍ଷିକ ୧୫ ହାଜର କୋଟି ଟଙ୍କା ବନ୍ଦ ହୋଇଯିବ, ଅର୍ଥାତ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ବୃକ୍ଷ ରୋପଣ ଏବଂ ଜିଲ୍ଲାର ଅଧିବାସୀଙ୍କ ବିକାଶ ପାଇଁ ବ୍ୟବହୃତ ଟଙ୍କା ମିଳିବ ନାହିଁ ।

ପୁନଶ୍ଚ କେନ୍ଦ୍ର ସରକାର ଏହି ଆମେଣ୍ଡମେଣ୍ଟ ବଳରେ ସୁପ୍ରିମ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ସରକାର ଏବଂ ଓଡିଶାବାସୀ ପାଇବାକୁ ଥିବା ପ୍ରାୟ ୧ ଲକ୍ଷ ଟଙ୍କାର ବକେୟା ପ୍ରାପ୍ୟକୁ ରଦ୍ଧ କରି ଦେଇଛନ୍ତି | ଅର୍ଥାତ ୨୦୦୫ ମସିହା ରୁ ୨୦୨୫ ମସିହା ପର୍ଯ୍ୟନ୍ତ ବାକିଥିବା ବିଭିନ୍ନ କମ୍ପାନୀର ଦେୟ ଯାହାକି ଓଡ଼ିଶା ସରକାର ପାଇଥାନ୍ତେ, ତାହାକୁ କେନ୍ଦ୍ରର ବିଜେପି ସରକାର କମ୍ପାନୀମାନଙ୍କ ସହିତ ସଲାସୁତୁରା କରି ଆମେଣ୍ଡମେଣ୍ଟ ମାଧ୍ୟମରେ ରଦ୍ଦ କରି ଦେଲା । ଏହା ସିଧାସଳଖ ଭାବରେ ଓଡ଼ିଶାକୁ କେବଳ ନିଜ ପ୍ରାପ୍ୟରୁ ବଞ୍ଚିତ କରିବା ନୁହେଁ ବରଂ ଖୋଲା ଲୁଟ୍ ଅଟେ ।

ଓଡିଆ ଅସ୍ମିତାର ଶ୍ଳୋଗାନ ଦେଇ ଏବଂ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ବିକାଶ ହେବ ବୋଲି ପ୍ରତିଶୃତି ଦେଇଥିବା ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଓଡ଼ିଶାର ଖଣି ଏବଂ ଖଣିଥିବା ଜମିକୁ ନିଜର କର୍ପୋରେଟ ବନ୍ଧୁମାନଙ୍କୁ ଶାଗମାଛ ମୂଲ୍ୟରେ ବିକିବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛି । ଗୋଟେ ପଟେ ନିଜେ ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଧାନ ଉଠାଇ ନଥିବାରୁ ଅଭିଯୋଗ କରିବା ବେଳେ ଅନ୍ୟ ପଟେ କେନ୍ଦ୍ର ସରକାର ଦ୍ରୁତଗତିରେ ଓଡ଼ିଶାର ଖଣି ଓ ଖାଦାନ କୁ ଖାଲି କରିବା ପାଇଁ ଷଡଯନ୍ତ୍ର କରୁଥିବା ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରମାଣିତ କରିଛି । ଆମ୍ ଆଦ୍‌ମୀ ପାର୍ଟି ବିଜେପି ସରକାରର ଏହି ଷଡଯନ୍ତ୍ର ବିରୁଦ୍ଧରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ବିରୋଧ ପ୍ରଦର୍ଶନ କରିବା ସହିତ ଓଡ଼ିଶାବାସୀ ଙ୍କର ସ୍ଵାର୍ଥର ରକ୍ଷା ପାଇଁ ଏହି ଏମଏମଡ଼ିଆର ଆକ୍ଟ-୨୦୨୬(MMDR ACT-2026) ବିରୁଦ୍ଧରେ ସାରା ଓଡ଼ିଶାରେ ଜନମତ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି |

ଆଜିର ପ୍ରେସ୍ ମିଟରେ ଆମ ଆଦ୍‌ମୀ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ମୁଖ୍ୟ ପ୍ରବକ୍ତା ଶ୍ରୀ ଲଲିତ୍ ମୋହନ ଦାଶଅଧିକାରି, ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ କୁମାର ପାଣି, ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed