September 6, 2026

କୁକୁଡ଼ାଖଣ୍ଡି ବ୍ଲକ ଶିକ୍ଷକଙ୍କ ପକ୍ଷରୁ ଗୁରୁଦିବସ ପାଳିତ ୨୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

IMG-20260906-WA0011
Share

*ବ୍ରହ୍ମପୁର ରୁ ପି କୃଷ୍ଣମୂର୍ତ୍ତିଙ୍କ ବ୍ୟୁରୋ ରିପୋର୍ଟ*

କୁକୁଡ଼ାଖଣ୍ଡି ବ୍ଲକର ଶିକ୍ଷକମାନଙ୍କ ପକ୍ଷରୁ ପବିତ୍ର ଗୁରୁ ଦିବସ ଲୋଚାପଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ରାମକୃଷ୍ଣ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ଶିକ୍ଷକତା ଭଳି ମହାନ ବୃତ୍ତି ପ୍ରତି ନିଜର ସମଗ୍ର ଜୀବନକୁ ସମର୍ପିତ କରିଥିବା ୨୦ ଜଣ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି ଅବସରରେ ଭବ୍ୟ ଭାବେ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କର ଦୀର୍ଘବର୍ଷର ନିଷ୍ଠା, ତ୍ୟାଗ, କର୍ତ୍ତବ୍ୟନିଷ୍ଠା ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ପାଇଁ କୁକୁଡ଼ାଖଣ୍ଡି ବ୍ଲକର ଶିକ୍ଷକ ସମାଜ ପକ୍ଷରୁ କୃତଜ୍ଞତା ଓ ସମ୍ମାନ ଜଣାଯାଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଲକ୍ଷ୍ମୀକାନ୍ତ ଦାଶଙ୍କ ଦ୍ୱାରା ମଧୁର ଶ୍ଳୋକ ପାଠ କରାଯାଇଥିଲା। ପରେ ମୁଖ୍ୟ ଅତିଥି ଡିଆଇଇଟି ଗଞ୍ଜାମ, ଖଲ୍ଲିକୋଟର ବରିଷ୍ଠ ଅଧ୍ୟାପକ ଅଭିରାମ ବିଶ୍ୱାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଔପଚାରିକ ଶୁଭାରମ୍ଭ କରିଥିଲେ। କୁକୁଡ଼ାଖଣ୍ଡି ବିଇଓ ସନ୍ତୋଷ କୁମାର ମହାପାତ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ବିଆରସିସି ବସନ୍ତ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ୟୁନିଅନ ସଭାପତି ଉଷାରାଣୀ ସାହୁ, ନିରଞ୍ଜନ ପଣ୍ଡା, ହରିକୃଷ୍ଣ ଗୌଡ଼, ଏ. ପୁଷ୍ପଲତା ଓ କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଅରୁଣ କୁମାର ଗୌଡ଼ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଅବସରରେ ସ୍ବର୍ଣ୍ଣମା ରଥ ଏବଂ ମମତା ଶତପଥୀ ବିଭୁବନ୍ଦନା ଗାନ କରିଥିଲେ l ରଞ୍ଜିତା ଦାଶ ଓ ଲକ୍ଷ୍ମୀକାନ୍ତ ଦାଶ ପ୍ରଭାବଶାଳୀ ଭାଷଣ ମାଧ୍ୟମରେ ଗୁରୁ ଦିବସର ମହତ୍ତ୍ୱ, ଶିକ୍ଷକଙ୍କ ଭୂମିକା ଓ ଶିକ୍ଷାର ପରିବର୍ତ୍ତିତ ଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଅଭିରାମ ବିଶ୍ୱାଳ ତାଙ୍କ ମାର୍ମିକ ଅଭିଭାଷଣରେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ପାରମ୍ପରିକ ଶିକ୍ଷାଦାନ ପ୍ରକିୟା ରୁ ଶିକ୍ଷଣୀୟ ପ୍ରକ୍ରିୟା

କୁ ପରିବର୍ତ୍ତନ କିପରି ଶିକ୍ଷାର୍ଥୀକୈନ୍ଦ୍ରିକ ଶିକ୍ଷାକୁ ଗୁରୁତ୍ୱ ଦେଇଛି, ସେ ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ଶିକ୍ଷକ ଜ୍ଞାନର ଏକମାତ୍ର ଉତ୍ସ ନହୋଇ ଶିକ୍ଷାର୍ଥୀଙ୍କୁ ନିଜେ ଶିଖିବା, ଚିନ୍ତା କରିବା, ପ୍ରଶ୍ନ କରିବା ଓ ଅନ୍ୱେଷଣ କରିବାରେ ମାର୍ଗଦର୍ଶନ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

୨୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବର ପ୍ରମୁଖ ଆକର୍ଷଣ ପାଲଟିଥିଲା। ଦୀର୍ଘ ସେବା କାଳରେ ଅଗଣିତ ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନ ଓ ମୂଲ୍ୟବୋଧର ଆଲୋକରେ ଆଲୋକିତ କରିଥିବା ଏହି ଗୁରୁଜନ ମାନଙ୍କୁ ସମ୍ମାନିତ କରି କୁକୁଡ଼ାଖଣ୍ଡି ବ୍ଲକ ଶିକ୍ଷକ ସମାଜ ଏକ ମହତ୍ତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା।

ଶେଷରେ ଡ. ସନାତନ ପ୍ରଧାନ ଓ ହେମନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଙ୍କ ପ୍ରତି ଅପାର ଶ୍ରଦ୍ଧା ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି କୃତଜ୍ଞତାର ବାର୍ତ୍ତା ନେଇ କୁକୁଡ଼ାଖଣ୍ଡି ବ୍ଲକ ଶିକ୍ଷକମାନଙ୍କ ଦ୍ୱାରା ଆୟୋଜିତ ଏହି ଗୁରୁଦିବସ ଉତ୍ସବ ଏକ ଭାବଗମ୍ଭୀର ଓ ସ୍ମରଣୀୟ ଅନୁଭୂତି ହୋଇ ରହିଥିଲା।