ଯେଉଁ ବ୍ୟବସ୍ଥାକୁ ନିଜେ ଚଳାଉଛୁ, ସେଇଥିରେ ନିଜର ଭରସା ନାହିଁ !
ବୋଲଗଡ଼, ୦୫/୦୯ (ଉପାନ୍ତ ଖବର):ବର୍ତ୍ତମାନ ସମୟର ସବୁଠୁ ବଡ଼ ବିଡମ୍ବନା ହେଉଛି ସରକାରୀ ସ୍କୁଲର ଶିକ୍ଷକ ନିଜ ପିଲାକୁ ପ୍ରାଇଭେଟ ସ୍କୁଲରେ ପଢ଼ାଉଛନ୍ତି, ସରକାରୀ ମେଡିକାଲର ଡାକ୍ତର ନିଜ ପରିବାରକୁ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି, ଆଉ ସରକାରୀ ଯୋଜନା କରୁଥିବା ବାବୁ-ନେତା ବି ସରକାରୀ ସେବା ବଦଳରେ ପ୍ରାଇଭେଟ ଖୋଜୁଛନ୍ତି। ପ୍ରଶ୍ନ ଉଠୁଛି ଏହା କଣ ପାଇଁ ? ଏହାର ଅନେକ କାରଣ ଥିଲେ ମଧ୍ୟ ମୁଖ୍ୟ କାରଣ ଦୁଇଟି ହେଲା ଗୁଣବତ୍ତା ଓ ଉତ୍ତରଦାୟିତ୍ୱ । ସରକାରୀ ସ୍କୁଲରେ ଭଲ ବିଲଡିଂ ହେଲା, ସ୍ମାର୍ଟ ବୋର୍ଡ ଲାଗିଲା, କିନ୍ତୁ ପାଠ ପଢ଼ାରେ ମନ ଲାଗିଲା ନାହିଁ। ସରକାରୀ ହସ୍ପିଟାଲରେ ମାଗଣା ଔଷଧ ଅଛି, କିନ୍ତୁ ଡାକ୍ତରଙ୍କୁ ଭେଟିବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ି। ଏହି ହଇରାଣକୁ ଦେଖି ସାଧାରଣ ଲୋକ ଧୀରେ ଧୀରେ ପ୍ରାଇଭେଟ ଆଡକୁ ମୁହାଁଉଛି। ପ୍ରାଇଭେଟ ସ୍କୁଲ, ପ୍ରାଇଭେଟ ହସ୍ପିଟାଲ ଭଲ ବୋଲି ନୁହେଁ, ବରଂ ସେଠି ପଇସା ନେଉଥିବାରୁ ସେବା ଦେବାକୁ ବାଧ୍ୟ। ସରକାରୀରେ ପଇସା ସରକାର ଦେଉଛନ୍ତି, ତେଣୁ ଗ୍ରାହକ ପ୍ରତି ଦାୟିତ୍ୱ କମିଯାଉଛି। ତେବେ ସମାଧାନ କଣ ? କେବଳ ନୂଆ ବିଲଡିଂ ନୁହେଁ, ମାନସିକତା ବଦଳିବା ଦରକାର। ଯଦି ସରକାର ନିୟମ କରନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ, ଶିକ୍ଷକ, ଡାକ୍ତର ଓ ନେତାଙ୍କ ପିଲା ସରକାରୀ ସ୍କୁଲରେ ପଢ଼ିବେ ଓ ସେମାନଙ୍କ ପରିବାର ସରକାରୀ ମେଡିକାଲରେ ଚିକିତ୍ସିତ ହେବେ, ତେବେ ଦେଖିବେ ଗୋଟିଏ ବର୍ଷରେ ସବୁ ସୁଧୁରିଯିବ। କାରଣ ନିଜ ଲୋକ ସେଠି ଥିଲେ ସେବା ଆପେ ଭଲ ହେବ।
ସରକାରୀ ସମ୍ପତ୍ତି କେବଳ ଗରିବର ନୁହେଁ, ସମସ୍ତଙ୍କର। ଏହା ଉପରେ ସମସ୍ତେ ଭରସା କଲେ ହିଁ ପ୍ରକୃତ ବିକାଶ ହେବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
