ପି.ଏମ୍. ଶ୍ରୀ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ସୃଜନ ସାହିତ୍ୟ କାର୍ଯ୍ୟକ୍ରମ ସ୍ୱରଚିତ କବିତାରେ ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ
ସମ୍ବଲପୁର/ଗଡ଼ତୁମୁଳିଆ, ୫.୯: ଛାତ୍ରଛାତ୍ରୀଙ୍କ ମନରେ ସାହିତ୍ୟ ପ୍ରତି ଆଗ୍ରହ ଓ ଭଲପାଇବା ସୃଷ୍ଟି କରିବା ସହ ସେମାନଙ୍କ ଭିତରେ ଲୁଚି ରହିଥିବା ସୃଜନଶୀଳ ପ୍ରତିଭାକୁ ଉଜାଗର କରିବା ଉଦ୍ଦେଶ୍ୟରେ ପି.ଏମ୍. ଶ୍ରୀ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଏକ ସୃଜନ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶିନୀ ପଟେଲଙ୍କ ଅନୁମତିକ୍ରମେ କନ୍ଦର୍ପ ଗର୍ତ୍ତୀଆଙ୍କ ସହଯୋଗରେ ସାହିତ୍ୟପ୍ରେମୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ସହପାଠ୍ୟକ୍ରମକୁ ଅଧିକ ସମୃଦ୍ଧ ଓ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କ ସାହିତ୍ୟିକ ପ୍ରତିଭାର ବିକାଶ ଏହାର ପ୍ରମୁଖ ଲକ୍ଷ୍ୟ ଥିଲା।କବି ଚିନ୍ମୟୀ କଣ୍ଟାଙ୍କ ନେତୃତ୍ୱରେ ଏହି ଅବସରରେ କବିତା ଲିଖନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜସ୍ୱ ଭାବନା, ଅନୁଭୂତି ଓ କଳ୍ପନାକୁ ଶବ୍ଦରୂପ ଦେଇ ସ୍ୱରଚିତ କବିତା ରଚନା କରିଥିଲେ। ସେମାନଙ୍କ ସୃଜନଶୀଳତା ଓ ସାହିତ୍ୟ ପ୍ରତି ଆଗ୍ରହ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।କବିତା ଲିଖନରେ ଦଶମ ଶ୍ରେଣୀର ଭାଗ୍ୟଶ୍ରୀ ରଣା, ଅନୁପମା ଗର୍ଡିଆ, ଖୁଶବୁ କୁମାରୀ ଓ ଶିବାନୀ ମହାନନ୍ଦିଆଙ୍କ ସମେତ ନବମ ଶ୍ରେଣୀର ଶବ୍ୟା ଗଣ୍ଡ ଓ ଲୋକପ୍ରିୟା କର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ସୁନ୍ଦର ସ୍ୱରଚିତ କବିତା ରଚନା କରିଥିଲେ।
କାର୍ଯ୍ୟକ୍ରମରେ ପିନାକିନୀ ସିକିଆ, ପୂଜା ପଶାୟତ ଓ ପୂଜା ସିକିଆ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ କନ୍ଦର୍ପ ଗର୍ତ୍ତୀଆ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ସୃଜନର ଆଗ୍ରହ ବଢ଼ାଇବା ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସୁନ୍ଦର ପଦକ୍ଷେପ ବୋଲି ଅଭିଭାବକ ଓ ସାହିତ୍ୟପ୍ରେମୀ ମହଲରେ ମତ ପ୍ରକାଶ ପାଇଛି।
