ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରରେ ମନ୍ତ୍ରୀ ଅସହାୟ। ଭରାସଭାରେ ଅସହାୟତା ପ୍ରକାଶ କରି ନିଜ ବିଭାଗର ଦୁଃଖ ବଖାଣିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଓଡ଼ିଶାରୁ ଚାଉଳ ଉଠାଉନାହିଁ। ଏହାକୁ ନେଇ ମନ୍ତ୍ରୀ ନାଁ କାହା ଉପରେ ଦୋଷ ଲଦି ପାରୁଛନ୍ତି ନାଁ କ୍ଷୋଭ ପ୍ରକାଶ କରିପାରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଗୁରୁବାର ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ଅବସରରେ ବଳକା ଚାଉଳକୁ ନେଇ ଯୋଗାଣ ବିଭାଗ କିପରି ହରଡ଼ ଘଣାରେ ପଡ଼ିଛି, ତାହାକୁ ବଖାଣିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର ।
କାର୍ଯ୍ୟକ୍ରମରେ ଉପସ୍ଥିତ ଏଫ୍ସିଆଇ ଜିଏମ୍ ନିହାର ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜର ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଫ୍ସିଆଇ ବେଳେ ବେଳେ ଆମକୁ ଧପେଇ ଦିଏ। ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବା ପାଇଁ ଏଫ୍ସିଆଇ ଆମକୁ ଟାର୍ଗେଟ ଦେଇଥିଲା। କିନ୍ତୁ ଆମର ଚାଉଳ ଏପର୍ଯ୍ୟନ୍ତ ଉଠିପାରି ନାହିଁ। ଚାଉଳ ଉଠାଇବା ପାଇଁ ସେ ବାରମ୍ୱାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟୁଥିଲେ ବି କିଛି ଫଳ ମିଳୁ ନ ଥିବା ମନ୍ତ୍ରୀ ପରୋକ୍ଷରେ କହିଛନ୍ତି। ଏମିତିିକି ‘ଏଇ ଗୋଟାକ ସମସ୍ୟା ଆମକୁ ମାରୁଛି’ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବାକୁ ବି ପଛାଇ ନାହାନ୍ତି। ଆମର ଉତ୍ପାଦନ ପାଇଁ ଆମେ ଚିନ୍ତିତ ନୁହେଁ, ଉତ୍ପାଦନ ବଢିବ। ଆମେ ୪୮ ଘଣ୍ଟା ଭିତରେ ୩୦ ହଜାର କୋଟି ଟଙ୍କା ଦେଉଛୁ; କିନ୍ତୁ ଚାଉଳ ଠିକ୍ ସମୟରେ ଉଠୁନାହିଁ। କ’ଣ ପାଇଁ ଅନ୍ୟ ରାଜ୍ୟ ପ୍ରତି ଏଫ୍ସିଆଇ ଦରଦ ଦେଖାଉଛି, ଆମ ପାଇଁ ଦରଦ ଦେଖାଇବାକୁ ବିମୁଖ ହେଉଛି; ସେ କଥା ବି ଆମେ ବୁଝି ପାରୁନାହୁଁ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ମୋତେ ପୁଣି ଆଉଥରେ ହାଇ ଲେଭେଲ ଟିମ୍ ନେଇ ତାଙ୍କ (କେନ୍ଦ୍ରମନ୍ତ୍ରୀ) ପାଖକୁ ଯିବାକୁ ପଡିବ; ସେଠାରେ ବୈଠକ କରିବାକୁ ପଡ଼ିବ। ଚାଉଳ ଉଠାଉନଥିବା ଯୋଗୁଁ ଆମେ ଚିନ୍ତାରେ ପଡିଛୁ। ଦିଲ୍ଲୀକୁ ଓଡ଼ିଶାରୁ ୨୦ ଜଣ ଏମ୍ପି ଯାଇଛନ୍ତି। ଆମର ଅଧିକାର ଅଛି। ଆମେ ସେ କଥା କେନ୍ଦ୍ରରେ କହିବୁ। ଚାଉଳ ନ ଉଠାଇ ପାରିଲେ ପୁଣି ଆଉଥରେ ଧାନ କିଣିବା କଷ୍ଟକର ହୋଇପଡିବ। ଆମ ହାତ ବାନ୍ଧି ହେଇଯାଉଛି ବୋଲି ଉଲ୍ଲେଖ କରି ଓଡ଼ିଶାରୁ ଚାଉଳ ଜଲଦି ଜଲଦି ଉଠାନ୍ତୁ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏଫ୍ସିଆଇ ଜିଏମ୍ଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୩୦ ଲକ୍ଷ ଟନ୍ ଚାଉଳ କେନ୍ଦ୍ର ସରକାର ଏଫ୍ସିଆଇ ମାଧ୍ୟମରେ ଉଠାଇବା ବ୍ୟବସ୍ଥା ଥିଲେ ବି ମାତ୍ର ଏହାର ଏକଚତୁର୍ଥାଂଶରୁ କମ୍ ଅର୍ଥାତ୍ ୭.୨୮ ଲକ୍ଷ ଟନ୍ ଚାଉଳ ଉଠାଯାଇଛି। ଏହି ଚାଉଳ ଉଠୁ ନ ଥିବାରୁ ଏବେ ରାଜ୍ୟର ସବୁ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଛି। ଫଳ ସ୍ୱରୂପ ଆଗାମୀ ଖରିଫ୍ ଋତୁରେ ମିଲରମାନଙ୍କ ପାଇଁ ଧାନ ଉଠାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହି ସ୍ଥିତି ଉଦ୍ବେଗ ଜନକ କହିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ସଂଗ୍ରହ ହେଉଥିବା ଧାନ ପିଡିଏସ୍ ମାଧ୍ୟମରେ ବଣ୍ଟନ ପରେ କିଛି ପରିମାଣରେ ଚାଉଳ ବଳୁଛି। ହେଲେ ପଶ୍ଚିମ ଓଡ଼ିଶାରେ ଉତ୍ପାଦନ ହେଉଥିବା ଧାନର ପରିମାଣରୁ ୩୦ ପ୍ରତିଶତ ପିଡିଏସ୍ ବଣ୍ଟନ ପରେ ବାକି ପ୍ରାୟ ୬୦-୭୦ ପ୍ରତିଶତ ଚାଉଳ ରହୁଛି। ଏହି ଚାଉଳ ମିଲର ଓ ସରାକରୀ ଗୋଦାମରେ ଗଚ୍ଛିତ ରହିଛି। ତେଣୁ ଏଥର ଏଫ୍ସିଆଇ ଚାଉଳ ନ ଉଠାଇଲେ ଖରିଫ ଧାନ ଉଠାଯିବ ନାହିଁ ବୋଲି ମଧ୍ୟ ମିଲର ସଂଘ କିଛି ଦିନ ତଳେ ସରକାରଙ୍କୁ ଭେଟି ଚେତାବନୀ ଦେଇଛି। ଏହି ସ୍ଥିତି ସମୟରେ ମନ୍ତ୍ରୀଙ୍କ ଅସହାୟତା ପ୍ରକାଶ ନୂଆ ବିବାଦ ସୃଷ୍ଟି କରିଛି।
