ଫିଲ୍ମ ଷ୍ଟାଇଲ୍ରେ ମୋଷ୍ଟ ୱାଣ୍ଟେଡ୍ ଟୁନା ହରିଜନ ଗିରଫ
କୋରାପୁଟ (ଗୁପ୍ତେଶ୍ୱର ରଥ): ଦୀର୍ଘଦିନ ଧରି କୋରାପୁଟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା କୁଖ୍ୟାତ ଅପରାଧୀ ଟୁନା ହରିଜନଙ୍କୁ ଛତିଶଗଡ଼ର ଜଗଦଲପୁର ନୂଆ ବସ୍ଷ୍ଟାଣ୍ଡରୁ ନାଟକୀୟ ଢଙ୍ଗରେ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁସାରେ, ବିଶେଷ ଟିମ୍ ପ୍ରାୟ ୩୦ କିଲୋମିଟର ପିଛା କରି ବନ୍ଧୁକ ମୁନରେ ତାଙ୍କୁ କାବୁ କରିଥିଲା। ଟୁନା ହରିଜନଙ୍କ ନାଁରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଥାନାରେ ୩୦ରୁ ଅଧିକ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଜୟପୁର, ବୋରିଗୁମ୍ମା, କୋଟପାଡ଼ ସମେତ ଛତିଶଗଡ଼ରେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଡକାୟତି ଓ ଲୁଟ୍ ମାମଲା ରହିଛି। ସୂଚନା ଅନୁଯାୟୀ, ବୋରିଗୁମ୍ମା ପୁଲିସ ଉପରେ ଆକ୍ରମଣ ଏବଂ ପୁଲିସ ଗାଡ଼ି ଭାଙ୍ଗଚୁର ଘଟଣାରେ ମଧ୍ୟ ଟୁନାଙ୍କ ସମ୍ପୃକ୍ତି ରହିଛି। ଏହି କୁଖ୍ୟାତ ଅପରାଧୀଙ୍କୁ ଧରିବା ପାଇଁ କୋରାପୁଟ ଏସ୍ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଶେଷରେ ଜଗଦଲପୁରରେ ଅପରେସନ ସଫଳ ହେବା ସହ ଟୁନାଙ୍କୁ ଓଡ଼ିଶାକୁ ଆଣି ପୁଲିସ ହେପାଜତରେ ନିଆଯାଇଛି।
ଏହି ଗିରଫଦାରିକୁ କୋରାପୁଟ ପୁଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି।
