August 30, 2026

ରୋଟାରୀ କ୍ଳବ ପୁରୀ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

IMG-20260830-WA0017
Share

 

ସେବା, ସଚେତନତା ଓ ସୌହାର୍ଦ୍ଦ୍ୟତା କ୍ଷେତ୍ରରେ ଅନ୍ୟ ଅନେକଙ୍କ ପାଇଁ ଉଦାହରଣ ହୋଇଥିବା ପୁରୀ ରୋଟାରୀକ୍ଲବ ତା’ର ପ୍ରତିଷ୍ଠାର ଅଠାବନତମ ବର୍ଷ ରେ ଆଉ ଏକ ବିଶେଷ ସେବା ଆରମ୍ଭ କରିଛି। ଭୁବନେଶ୍ୱରସ୍ଥ ଉତ୍କଳ ହସପିଟାଲ୍ସ ଙ୍କ ସହଯୋଗରେ କ୍ଲବରେ ଆରମ୍ଭ ହୋଇଛି ମଲ୍ଟି ସ୍ପେସିଆଲିଟି ପଲି କ୍ଲିନିକ୍। କ୍ୟାନସର, ସ୍ନାୟବିକ ସମସ୍ୟା ଓ ମୂତ୍ରାଶୟ ଜନିତ ସମସ୍ୟା ଆଦିରେ ପୁରୀ ର ରୋଗୀ ଓ ସେମାନଙ୍କ ସଂପର୍କୀୟ ମାନେ ଅର୍ଥ ସମେତ ସମୟ ଓ ଶ୍ରମ ବ୍ୟୟକରି ବାରମ୍ବାର ଭୁବନେଶ୍ୱର ଓ କଟକ ର ଡାକ୍ତରଖାନା ମାନଙ୍କୁ ଦଉଡୁଥିଲେ। ଏହି ସମସ୍ୟା ର ଯଥାସମ୍ଭବ ନିରାକରଣ ହିଁ ଏହି ପଲିକ୍ଲିନିକ୍ ର ଉଦ୍ଦେଶ୍ୟ। ଶନିବାର ପୂର୍ବାହ୍ନରେ ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ଏବଂ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର ଭାବୀ ଗଭର୍ଣ୍ଣର ଇନ୍ଦ୍ରଜିତ ସାହୁ ଅତିଥିଭାବେ ଯୋଗଦାନ କରି କ୍ଲିନିକ୍ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିବିରରେ ଉତ୍କଳ ହସ୍ପିଟାଲ ର ଅନକୋଲୋଜୀ ବା କ୍ୟାନସର ବିଭାଗ ର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ମହାନ୍ତି, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସଦାଶିବ ପାଢ଼ୀ, ନ୍ୟୁରୋସର୍ଜରୀ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଦାସ, ମେଡିସିନ ବିଶେଷଜ୍ଞ ଡାକ୍ତର ସ୍ମୃତିରଞ୍ଜନ ନାୟକ ଏବଂ ସ୍ତ୍ରୀରୋଗ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ସ୍ନେହଁସଳିତା ପାଳ ପ୍ରମୁଖ ଙ୍କ ସମେତ ପାରାମେଡିକ୍ସ ଷ୍ଟାଫ୍ ଗଣ ଏକଶହ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ସଂପୂର୍ଣ୍ଣ ବିନା ମୂଲ୍ୟରେ ପ୍ରଦାନ କରିଥିଲେ। ଏହି ଅବସରରେ ରୋଗୀ ମାନଙ୍କର ରକ୍ତ ସର୍କରା, ଅମ୍ଳଜାନ ଓ ରକ୍ତଚାପ ପରୀକ୍ଷା ବିନାମୂଲ୍ୟରେ କରାଯାଇଥିଲା। ପ୍ରତ୍ୟେକ ମାସରେ ଦୁଇଟି ଶନିବାର ରେ ଏହି କ୍ଲିନିକ୍ ସେବା ଯୋଗାଇବ। କ୍ଲବ ର ସଭାପତି ବିଜୟ କୁମାର ପତି ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା କ୍ଲିନିକ୍ କୁ ପୁରୀ ଇନରହ୍ବିଲ୍ କ୍ଲବ ର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଙ୍କ ସମେତ ଉଭୟ କ୍ଲବର ସଂଖ୍ୟାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ ପ୍ରଦାନ ପୂର୍ବକ ସଫଳ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l