୭୩ ଲକ୍ଷରୁ ଅଧିକ ସରକାରୀ ଅର୍ଥ ହେରଫେର ଅଭିଯୋଗ: ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଗିରଫ
ସମ୍ବଲପୁର, ୨୬/୮: ସରକାରୀ ଅର୍ଥ ହେରଫେର ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ଲଇଡାସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ବସନ୍ତ କୁମାର ନାଏକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି।
ଭିଜିଲାନ୍ସର ତଦନ୍ତ ଅନୁସାରେ, ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଅର୍ଥରୁ ବ୍ୟାପକ ଅନିୟମିତତା କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଅନୁଦାନର ଅର୍ଥ ବ୍ୟୟ ଦର୍ଶାଇ ବିଭିନ୍ନ ବିଲ୍ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଭୂମିସ୍ତରରେ ସେହି ଅନୁସାରେ ବିକାଶମୂଳକ କାର୍ଯ୍ୟ କରାଯାଇନଥିଲା।
ଏଥିସହ ମଞ୍ଜୁର ହୋଇଥିବା ଅର୍ଥରେ ମହାବିଦ୍ୟାଳୟ ପାଇଁ ଉପକରଣ କିଣାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ଉପକରଣଗୁଡ଼ିକ ବାସ୍ତବରେ ମିଳିନଥିବା ଏବଂ ମିଥ୍ୟା ବିଲ୍ ମାଧ୍ୟମରେ ଅର୍ଥ ଉଠାଯାଇଥିବା ଅଭିଯୋଗ ରହିଛି। ସେହିପରି ମହାବିଦ୍ୟାଳୟର ସ୍ୱୟଂଚାଳନ ଓ ଡିଜିଟାଲ୍ ପରିଚାଳନା ସଫ୍ଟୱେର ଲାଗୁ କରିବା ନାମରେ ସରକାରୀ ଅନୁଦାନର ଅର୍ଥ ଅନ୍ୟତ୍ର ବ୍ୟବହାର କରାଯାଇଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ-୧୩/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ , ୨୦୨୩ର ଧାରା ୧୩(୨) ସହିତ ୧୩(୧)(ଏ), ୩୧୬(୫) ଏବଂ ୬୧(୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗିରଫ ପରେ ଡ. ନାଏକଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
