ବର୍ଦ୍ଧିତ ଚିନି ଦରକୁ ନେଇ ବୁଗୁଡ଼ାରେ ମିଠା ମହଙ୍ଗା
ବୁଗୁଡ଼ା : ତା ୨୬/୦୮/୨୬ : ଏପଟେ ଚିନି ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ସେପଟେ ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ବୁଗୁଡା ଅଞ୍ଚଳରେ ଥିବା ମିଷ୍ଟାନ୍ନ ଭଣ୍ଡାରରେ ମିଠା ଦର ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ଫଳରେ ଲୋକେ ମିଷ୍ଟାନ୍ନ କିଣିବା ବେଳେ ଟିକେ ବାଧୁଛି । ରସଗୋଲା ଓ ଜିଲାପି ଠାରୁ ଆରମ୍ଭ କରି ଛେନାପୋଡ ଏବଂ ବିଭିନ୍ନ କିସମର ଛେନାମିଠା ଯାଏଁ ସବୁର ଦର ବୃଦ୍ଧି ପାଇବାରେ ଲାଗିଛି। ପାର୍ବଣ ଋତୁ ଆସୁଥିବାରୁ ମିଠାର ଚାହିଦା ଅଧିକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ କିପରି ରାକ୍ଷୀପୂର୍ଣ୍ଣିମାରେ ମିଠା କିଣିବେ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚିନିର ଦର ହଠାତ୍ ଆଶାତୀତ ଭାବେ ବୃଦ୍ଧି ଯୋଗୁଁ ମିଠା ବ୍ୟବସାୟୀ ଦରବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ଚିନିର ମୂଲ୍ୟ ବୃଦ୍ଧି ଯୋଗୁଁ ମିଠାଦର ବି ମହଙ୍ଗା ହୋଇଛି । ଏଥିପାଇଁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି I ବିଗତ କିଛି ଦିନ ହେଲା ଛେନା ଓ ଚିନିଦର ବୃଦ୍ଧି ପାଇଛି। ଖୋଲା ବଜାରରେ ଚିନିର ଦର ଦିନକୁ ଦିନ ବୃଦ୍ଧି ପାଇଥିବା ଯୋଗୁଁ ବୁଗୁଡା ଅଞ୍ଚଳରେ ବିଭିନ୍ନ ପ୍ରକାରର ମିଠାର ଦର ମଧ୍ୟ ମହଙ୍ଗା ହେବାରେ ଲାଗିଛି। ସପ୍ତାହେ ପୂର୍ବେ ଯେଉଁ ଗୋଟିଏ ମିଠା ୫ ଟଙ୍କାରେ ବିକ୍ରୀ ହେଉଥିଲା ତାହା ବର୍ତ୍ତମାନ ବୃଦ୍ଧି ପାଇ ୭ ଟଙ୍କାରେ ପହଞ୍ଚିଛି ଏବଂ ପ୍ରତ୍ଯେକ ମିଠା କିଲୋଗ୍ରାମ ପ୍ରତି ୨୦ରୁ ୫୦ ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି ପାଇଛି। ବୁଗୁଡା ସହରର ମଦନ ମୋହନ ଛକ, ମୁଖ୍ୟ ସଡକ ଏବଂ ଅନ୍ୟ ସ୍ଥାନ ଗୁଡିକରେ ଥିବା ମିଠା ଦୋକାନ ଗୁଡିକରେ ବିଭିନ୍ନ ପ୍ରକାର ମିଠା ବିକ୍ରି ହେଉଛି। ଅନ୍ୟପକ୍ଷରେ କେତେକ ଅସାଧୁ ବ୍ଯବସାୟୀ ଦରବୃଦ୍ଧି ପୂର୍ବରୁ ନିଜ ନିଜ ଗୋଦାମରେ ପ୍ରଚୁର ପରିମାଣର ଚିନି ମହଜୁଦ ରଖିଥିବା ବେଳେ ଏବେ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଣୁ, ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କଳାବଜାରୀଙ୍କ ଗୋଦାମ ଉପରେ ଅତର୍କିତ ଚଢଉ କରିବା ସାଙ୍ଗକୁ ବର୍ଷିତ ଚିନିଦର ଏବଂ ମିଠାଦରକୁ ନିୟନ୍ତ୍ରଣ କରିବାକୁ ଦାବି ହେଉଛି।
