ସୁଦର୍ଶନ ଦାରୁପୀଠ ଓ ମା’ ସମଲେଇ ପୀଠରେ ବୃକ୍ଷରୋପଣ
ଭୁବନେଶ୍ୱର( ଦେବାଶିଷ ଦାଶ )
ପରିବେଶ ସୁରକ୍ଷା ତଥା ସବୁଜିମା ସୃଷ୍ଟି ଲକ୍ଷ୍ୟରେ ଅଗ୍ରଗାମୀ ଅଘରିଆ ସୋସାଇଟି ପକ୍ଷରୁ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ବାଳକାଟି ନିକଟସ୍ଥ ହିରାପୁର ଗଡ଼କଣ୍ଟୁଣିଆ ସ୍ଥିତ ‘ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ (ସୁଦର୍ଶନ ଦାରୁପୀଠ)’ ଏବଂ ‘ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଙ୍ଗଠନ’ ମିଳିତ ଭାବେ ସହଯୋଗ କରୁଛନ୍ତି।
ପ୍ରଭାତରୁ ଉଭୟ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁପୀଠ ଜଗନ୍ନାଥ ମନ୍ଦିର ପରିସର ଏବଂ ମା’ ସମଲେଇ ପୀଠ ପ୍ରାଙ୍ଗଣରେ ଏହି ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା। “ଗଛଟିଏ ଲଗାନ୍ତୁ, ଭବିଷ୍ୟତ ଗଢ଼ନ୍ତୁ – ମାନବ ସେବାର ଏହା ହିଁ ଶ୍ରେଷ୍ଠ ମାଧ୍ୟମ” ବାର୍ତ୍ତାକୁ ନେଇ ଆୟୋଜିତ ଏହି ଅଭିଯାନରେ ଶତାଧିକ ଔଷଧୀୟ, ଛାୟାପ୍ରଦ ତଥା ଫୁଲ-ଫଳ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଶାଳ, ମହୁଲ, ଚନ୍ଦନ, କୁସୁମ, ନିମ୍ବ, କରଞ୍ଜ, ଅର୍ଜୁନ, ଅଁଳା, ଶମୀ, ବଉଳ, ଆତ, ବେଲ, ଡାଳଚିନି ସମେତ ପାରିଜାତ, ମନ୍ଦାର, ଟଗର, ରାଧାଚୂଡ଼ା, କୃଷ୍ଣଚୂଡ଼ା, ଅପରାଜିତା, କାଠଚମ୍ପା, ସ୍ୱର୍ଣ୍ଣଚମ୍ପା ଓ ନାଗେଶ୍ୱର ଭଳି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଛି ।
ପରିବେଶକୁ ସନ୍ତୁଳିତ ରଖିବା ସହ ଧାର୍ମିକ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇସାରିଛି। ଏହି ପବିତ୍ର ଓ ମହତ କାର୍ଯ୍ୟରେ ସମସ୍ତ ସଦସ୍ୟ, ସ୍ଥାନୀୟ ବାସିନ୍ଦା ତଥା ଶ୍ରଦ୍ଧାଳୁମାନେ ସପରିବାର ଯୋଗଦେଇଥିଲେ ।
