August 26, 2026

ମାଛ ଚାଷରେ ଆତ୍ମନିର୍ଭର ହେବେ ମହିଳା  ଆଦିତ୍ୟ ଆଲୁମିନିୟମର ସହାୟତାରେ ମହିଳାଙ୍କ ମୁହଁରେ ହସ”

IMG-20260826-WA0026
Share

 

ସମ୍ବଲପୁର-୨୬/୦୮ :ମାଛ ଚାଷ ଏକ ଲାଭଜନକ ଚାଷ। ଅଳ୍ପ ପୁଞ୍ଜିରେ ଅଧିକ ଲାଭ ମିଳିପାରିବ। ଏହି ଲକ୍ଷ୍ୟକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ, କମ୍ପାନୀର ପ୍ରକଳ୍ପ ଅଞ୍ଚଳର ୫ ଗୋଟି ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହିତ ପର୍ଯ୍ୟାୟ କ୍ରମେ ବୈଠକ କରାଯାଇଥିଲା। ବୈଠକ ପରେ ମାଛ ଚାଷ ସହ ଜଡିତ ୧୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଛି। ଏହାପରେ ବ୍ଲକ ଫିସେରୀ ଅଫିସରଙ୍କ ସହ ମିଳିତ ଫିଲ୍ଡ ଭିଜିଟ କରାଯାଇଥିଲା। ଭିଜିଟ ସମୟରେ ଜଣାପଡିଲା ଯେ, ମହିଳାମାନେ ପଞ୍ଚାୟତ ପୋଖରୀ ନିଲାମ ନେଇ ମାଛ ଚାଷ କରୁଛନ୍ତି ଏବଂ ସରକାରୀ ସବସିଡି ପାଇବାକୁ ଯୋଗ୍ୟ ହୋଇପାରୁନାହାଁନ୍ତି, ବୈଷୟିକ ତାଲିମ ଅଭାବରୁ ସଠିକ ପରିମାଣରେ ଜାଆଁଳ ଛାଡିବା, ଦାନା ଦେବା ଓ ପାଣି ଟ୍ରିଟମେଣ୍ଟ କରିପାରୁ ନଥିବାରୁ ଆଶାନୁରୂପ ଲାଭ ପାଇ ପାରୁନାହାଁନ୍ତି।

ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ଲକ ଫିସେରୀ ବିଭାଗର ସହଯୋଗରେ ଆର୍ ଆର୍ କଲୋନୀ, ଲୁଧାପାଲି ଠାରେ ୫୦ ଜଣ ଅଗ୍ରଣୀ ମହିଳା ଚାଷୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମାଛ ଚାଷର ଆଧୁନିକ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯିବା ସହ ସେମାନଙ୍କ ସମସ୍ୟା ଗୁଡିକୁ ଚିହ୍ନଟ କରାଯାଇଥିଲା।

 

ବର୍ତ୍ତମାନ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସେମାନଙ୍କୁ ସବସିଡି ଯୋଗ୍ୟ କରାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କମ୍ପାନୀ ପକ୍ଷରୁ ପୋଖରୀ ପାଣି ସଫା ପାଇଁ ଚୂନ, ଉନ୍ନତ ମାନର ମାଛ ଜାଆଁଳ, ଦାନା, ଜାଲ, ଟ୍ରେ ଇତ୍ୟାଦି ସହାୟତା ଯୋଗାଇ ଦିଆଯିବ। ଏଥିସହ ଏନଏଫଡିପି ସ୍କିମ, କୋଅପରେଟିଭ ସୋସାଇଟି, ବାୟୋଫ୍ଲକ, ବରଫ କାରଖାନା, ଡ୍ରାଇଙ୍ଗ ମେସିନ ଭଳି ସରକାରୀ ଯୋଜନାକୁ କିପରି ଗାଁ ସ୍ତରରେ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ବ୍ଲକ ଫିସେରୀ ଅଫିସରଙ୍କ ତତ୍ତ୍ୱାବଧାନରେ ଏକ ସରକାରୀ ସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

 

ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ଚୂନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜାଆଁଳ, ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ସ୍ଥିର ହୋଇଛି। ଏହି ସହାୟତା ପାଇବା ପରେ ଅଧିକ ଲାଭ ପାଇବେ ବୋଲି ଆଶା ନେଇ ମହିଳା ମହଲରେ ଖୁସିର ବାତାବରଣ ଦେଖାଦେଇଛି।

You may have missed