August 25, 2026

କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? .. ଇଂ ରୋହିତ ପୂଜାରୀ. 

IMG-20260823-WA0045
Share

 

 

 

ସମ୍ବଲପୁର,

 

ପଶ୍ଚିମ ଓଡ଼ିଶାର ଦୀର୍ଘଦିନର ଦାବି ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ତୀବ୍ର ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଇଂ ରୋହିତ ପୂଜାରୀ।

 

ନିକଟରେ କେନ୍ଦ୍ର ସରକାର ଲଦାଖରେ ଜମ୍ମୁ-କାଶ୍ମୀର ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ଏହା ନ୍ୟାୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

 

ସେହିପରି, କୋଲହାପୁରରେ ବମ୍ବେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ୧ ଅଗଷ୍ଟ ୨୦୨୫ରେ ବମ୍ବେ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ଏବଂ ସ୍ଥାୟୀ ମାନ୍ୟତା ଦେବା ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ୁଛି l ତେବେ ପଶ୍ଚିମ ଓଡ଼ିଶାରେ ରାଜ୍ୟ ର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଅବହେଳା କାହିଁକି ? ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି l

 

ସବୁଠାରୁ ବଡ଼ କଥା ହେଉଛି, ୨୦୨୫ରେ କେନ୍ଦ୍ର ସରକାର ନିଜେ ସଂସଦରେ କହିଥିଲେ ଯେ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପାଇଁ କୌଣସି ସମ୍ପୂର୍ଣ୍ଣ ପ୍ରସ୍ତାବ କେନ୍ଦ୍ର ନିକଟରେ ନାହିଁ। ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିବା ଆବଶ୍ୟକ। କିନ୍ତୁ ପୂର୍ବ ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ନିକଟକୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ବେଞ୍ଚ ସଂକ୍ରାନ୍ତରେ ବାରମ୍ବାର ପ୍ରସ୍ତାବ ମଧ୍ୟ ଦେଇଥିଲେ, ଏହା ସହ ଜମି ଏବଂ ସ୍ଥାପନ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ ସେ ପ୍ରସ୍ତାବ କୁଆଡେ ଗଲା ତାହାର ଜବାବ୍ ପ୍ରଥମେ କେନ୍ଦ୍ର ଏବଂ ବର୍ତ୍ତମାନର ରାଜ୍ୟ ସରକାର ସ୍ୱଷ୍ଟୀକରଣ ଦିଅନ୍ତୁ ବୋଲି ଇ. ପୂଜାରୀ ଦାବୀ ଜଣାଇଛନ୍ତି l

 

ଏହା ସହ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରି ଇଂ ପୂଜାରୀ କହିଛନ୍ତି :

ଯଦି କେନ୍ଦ୍ର କହୁଛି ରାଜ୍ୟ ସରକାର ପ୍ରସ୍ତାବ ଦେଲେ ପ୍ରକ୍ରିୟା ଆଗକୁ ବଢ଼ିବ, ତେବେ ବିଜେପି ସରକାର ଓଡ଼ିଶାରେ ଦୁଇ ବର୍ଷ ହେଲାଣି ପଶ୍ଚିମ ଓଡିଶା ରେ ହାଇକୋର୍ଟ ବେଞ୍ଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତାବ କାହିଁକି ପଠାଇନାହାନ୍ତି ?

 

ଇଂ ପୂଜାରୀ ଦାବି କରିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଔପଚାରିକ ପ୍ରସ୍ତାବ ପ୍ରସ୍ତୁତ କରନ୍ତୁ। ଆବଶ୍ୟକ ଭିତ୍ତିଭୂମି ଓ ଆର୍ଥିକ ବ୍ୟବସ୍ଥାର ସ୍ପଷ୍ଟ ରୋଡମ୍ୟାପ ଦିଅନ୍ତୁ।ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଙ୍କ ଆବଶ୍ୟକ ସମ୍ମତି ପ୍ରକ୍ରିୟା ଆରମ୍ଭ କରନ୍ତୁ। ସମ୍ବଲପୁରର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ନିଜର ସ୍ପଷ୍ଟ ଭୂମିକା ସାର୍ବଜନୀନ କରନ୍ତୁ l ନହେଲେ ପଶ୍ଚିମ ଓଡିଶା ତଥା ସମ୍ବଲପୁର ଠିକ ସମୟରେ ଉଚିତ ଜବାବ ଦେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି l