August 24, 2026

ଚିନିର ଅହେତୁକ ଦରବୃଦ୍ଧି ପାଇଁ ଡବଲ ଇଞ୍ଜିନ ସରକାର ଦାୟୀ: ବିଜେଡି

IMG-20260823-WA0039
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଓଡ଼ିଶାରେ ଚିନିର ଦର ଦେଶରେ ସର୍ବାଧିକ

 

ଇଥାନଲ ଉତ୍ପାଦନ ବୃଦ୍ଧି ପରେ ଦେଶରେ ଚିନିର ଅଭାବ ଦେଖା ଦେଇଛି

 

ଚିନିର ଦ୍ୱିତୀୟ ସର୍ବବୃହତ୍ତ ରପ୍ତାନିକାରି ଭାରତ ଚଳିତବର୍ଷ ଚିନି ବିଦେଶରୁ ଆମଦାନୀ କରିବ

 

ଅତ୍ୟାବଶକୀୟ ଜିନିଷ, ବିଶେଷକରି ଚିନିର ଦରରେ ଅହେତୁକ ବୃଦ୍ଧି ପାଇବା ପରେ ଓ ଦେଶରେ ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ଚିନିର ଦର ସର୍ବାଧିକ ହୋଇଥିବାରୁ, ବିଜୁ ଜନତା ଦଳ ଏଥିପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଦାୟୀ କରିଛି । ପାର୍ବଣ ଋତୁ ଆଗମନର ଠିକ୍ ପୂର୍ବରୁ ଚିନିର ଅହେତୁକ ଦରବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜେଡି କହିଛି ।

ଆଜି ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଚିନି ଭଳି ଏକ ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ବ୍ୟଥିତ କରିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ, ଦେଶର ସମସ୍ତ ରାଜ୍ୟ ମାନଙ୍କ ଭିତରେ ଚିନିର ଦର ଓଡ଼ିଶାରେ ସର୍ବାଧିକ ରହିଛି । ଚିନିର ଦର ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ବା ରାଜ୍ୟ ସରକାର କିଛି ପଦକ୍ଷେପ ନେଇନାହାନ୍ତି । ଚିନି ସମେତ ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଦାୟୀ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଦେଶରେ ପେଟ୍ରୋଲ ସହିତ ଇଥାନଲ ମିଶାଇବା ପାଇଁ କେନ୍ଦ୍ର ସରକାରଙ୍କ ନୀତି ଚିନିର ଅହେତୁକ ଦରବୃଦ୍ଧି ପାଇଁ ଦାୟୀ ବୋଲି ଅଭିଯୋଗ ହେଉଥିଲା ବେଳେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଇଥାନଲ ପେଟ୍ରୋଲରେ ମିଶାଇବା ନୀତି ହେବା ପୂର୍ବରୁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତ ରପ୍ତାନିକାରୀ ଦେଶର ମାନ୍ୟତା ପାଇଥିଲା । ଉଲ୍ଲେଖଯୋଗ୍ୟ, ଭାରତରେ ଉତ୍ପାଦିତ ହେଉଥିବା ୨୮% ଆଖୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର ହେଉଛି, ଯାହା ଯୋଗୁଁ ଭାରତରେ ଚିନି ଉତ୍ପାଦନ ହ୍ରାସ ପାଇଛି । କିନ୍ତୁ ଦେଶରେ ଇଥାନଲ ଉତ୍ପାଦନରେ ଅହେତୁକ ବୃଦ୍ଧି ପାଇବା ପରେ, ଚଳିତ ବର୍ଷ ଭାରତ ଚିନି ବିଦେଶକୁ ରପ୍ତାନୀ କରିବା ପରିବର୍ତ୍ତେ ବିଦେଶରୁ ଆମଦାନୀ କରିବ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଚିନିର ଅଭାବ ମନୁଷ୍ୟକୃତ ଓ ଏଥିପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ ।