ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ କାକିରିଗୁମା ପୋଲିସର ସଚେତନତା
କାକିରିଗୁମା, କୋରାପୁଟ: ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ରୋକିବା ଉଦ୍ଦେଶ୍ୟରେ କାକିରିଗୁମା ଥାନା ପୋଲିସ ପକ୍ଷରୁ କେଲାର ଗ୍ରାମରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସାଇବର ସୁରକ୍ଷା, ଅନଲାଇନ୍ରେ ସୁରକ୍ଷିତ ରହିବାର ଉପାୟ ଏବଂ ସାଇବର ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସଚେତନ କରାଯାଇଥିଲା।
ବିଶେଷକରି ଅନଲାଇନ୍ ଠକେଇ, ‘ଡିଜିଟାଲ ଆରେଷ୍ଟ’ ନାମରେ ଠକେଇ, ସୋସିଆଲ ମିଡିଆର ଅପବ୍ୟବହାର ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ଭଳି ସାଇବର ଅପରାଧରୁ ସାବଧାନ ରହିବାକୁ ପୋଲିସ ପରାମର୍ଶ ଦେଇଥିଲା।
ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଅଜଣା ବ୍ୟକ୍ତିଙ୍କ ସହ OTP, PIN, ପାସୱାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ ଶେୟାର ନକରିବା ଏବଂ ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କ ରହିବାକୁ ପୋଲିସ ଲୋକଙ୍କୁ ବୁଝାଇଥିଲା। ଡିଜିଟାଲ ପ୍ରଯୁକ୍ତିର ଲାଭ ନେବା ସହ ଏହାକୁ ସୁରକ୍ଷିତ ଓ ସଚେତନ ଭାବେ ବ୍ୟବହାର କରିବାକୁ ମଧ୍ୟ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।
ସାଇବର ଅପରାଧର ଶିକାର ହେଲେ ତୁରନ୍ତ ପୋଲିସକୁ ଜଣାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ ପରାମର୍ଶ ଦେଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହ ପୋଲିସ କର୍ମଚାରୀମାନେ ଯୋଗଦେଇ ସାଇବର ଅପରାଧ ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ।(ଗୁପ୍ତେଶ୍ୱର ରଥ କୋରାପୁଟ)
