August 23, 2026

ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ

IMG-20260821-WA0007
Share

 

 

ବରପାଲି : (ସୁଦାମ ଦୀପ) ବିଜେପୁର-ପହଣ୍ଡି ରାସ୍ତା ପାର୍ଶ୍ୱରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଲୁଟ୍‌ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସୁନା ଗହଣା ଲୁଟ୍‌ କରିବା ସହ ଲୁଟ୍‌କୁ ବିରୋଧ କରିବାରୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ତିନିଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ରାସ୍ତା ପାର୍ଶ୍ୱରେ ଲୁଟ୍‌ କରିଥିଲେ। ଲୁଟ୍‌କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ବିଜେପୁର ହସ୍ପିଟାଲକୁ ନିଆଯାଇଛି।ଘଟଣା ପରେ ଅଭିଯୁକ୍ତମାନେ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ କେତେ ପରିମାଣର ସୁନା ଗହଣା ଲୁଟ୍‌ ହୋଇଛି ଏବଂ ଲୁଟ୍‌ରେ ସଂପୃକ୍ତ ଅଭିଯୁକ୍ତମାନେ କିଏ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ବିଜେପୁର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍‌ ହୋଇଥିବା ସୁନା ଗହଣା ଉଦ୍ଧାର ପାଇଁ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।