କୋରାପୁଟରେ ଧୁମଧାମରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

କୋରାପୁଟ, ୧୫/୦୮/୨୦୨୬ (ଗୁପ୍ତେଶ୍ୱର ରଥ): ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଆଜି କୋରାପୁଟ ପୋଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ପରେଡରେ ପୋଲିସ ବାହିନୀ ସହ କୋରାପୁଟର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ଚିତ୍ତାକର୍ଷକ ପରେଡ ଓ ଡ୍ରିଲ୍ ପ୍ରଦର୍ଶନ କରିଥିଲେ। ସମାରୋହ ଅବସରରେ ଦେମ୍ସା ନୃତ୍ୟ କଳାକାରମାନେ ମଞ୍ଚରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମୁଖ୍ୟ ଅତିଥିଙ୍କୁ କଳାକାରମାନେ ନୃତ୍ୟରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି ମଧ୍ୟ ସେମାନଙ୍କ ସହ ତାଳ ମିଳାଇ ନୃତ୍ୟ କରି ସମସ୍ତଙ୍କ ମନ ଜିତିନେଇଥିଲେ।ସମଗ୍ର ପରିବେଶ ଦେଶଭକ୍ତିର ଭାବନାରେ ଭରିଯାଇଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ସମାରୋହଟି ଉତ୍ସବମୁଖର ହୋଇଉଠିଥିଲା। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏହି ଅବସରରେ ସ୍ମରଣ କରାଯାଇଥିଲା।
