August 14, 2026

ଜାଲରେ ପଡ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି

IMG-20260812-WA0052
Share

ବାଲେଶ୍ବର ( ଦେବାଶିଷ ଦାଶ )

 ମାଛର ରାଜା ଭାବେ ପରିଚିତ ଇଲିଶି ମାଛରେ ଏବେ ସରଗରମ ହୋଇଉଠିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଦିଘା ମୁହାଣ। ଆଜି ଦିଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍‌ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ଧରାପଡ଼ିଥିବାରୁ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି।

ବଜାରରେ ମାଛର ଆକାର ଓ ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍ ଇଲିଶିର ଦର ୬୦୦ ଟଙ୍କାରୁ ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି। ଏହି ବ୍ୟାପକ ଆମଦାନୀ ଫଳରେ ସ୍ଥାନୀୟ ବଜାର ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଇଲିଶି ଯୋଗାଣ ଆରମ୍ଭ ହୋଇଛି। ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଝିପିଝିପି ବର୍ଷା ଏବଂ ଅନୁକୂଳ ପାଗ ଯୋଗୁଁ ଗଭୀର ସମୁଦ୍ରରେ ଥିବା ଇଲିଶି ମାଛ କୂଳ ଆଡ଼କୁ ଆସିଥାଏ। ବିଶେଷକରି ନଦୀ ମୁହାଣରେ ମିଠା ପାଣି ସହ ସମୁଦ୍ରର ଲୁଣିଆ ପାଣି ମିଶୁଥିବା ସ୍ଥାନକୁ ଇଲିଶି ଅଣ୍ଡା ଦେବା ପାଇଁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣର ମାଛ ଜାଲରେ ଧରାପଡ଼ୁଛି। ଦୀର୍ଘ ସମୟ ପରେ ଏପରି ବମ୍ପର ଧରଣ ହୋଇଥିବାରୁ ଟ୍ରଲର ମାଲିକମାନେ ଭଲ ଲାଭର ଆଶା କରୁଛନ୍ତି। ମତ୍ସ୍ୟଜୀବୀମାନେ ମଧ୍ୟ ଏହାକୁ ଚଳିତ ଋତୁର ସବୁଠାରୁ ଭଲ ଧରଣ ବୋଲି କହିଛନ୍ତି। ପାଗ ଏଭଳି ଅନୁକୂଳ ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅଧିକ ପରିମାଣର ଇଲିଶି ଧରାପଡ଼ିବ ବୋଲି ସେମାନଙ୍କ ଆଶା। ଇଲିଶିର ବ୍ୟାପକ ଆମଦାନୀ ଖବର ପରେ ଖାଦ୍ୟପ୍ରେମୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି। ଦୀର୍ଘ ଦିନ ପରେ ବଜାରରେ ପ୍ରଚୁର ପରିମାଣରେ ଇଲିଶି ମିଳୁଥିବାରୁ ଘରେ ଘରେ ଇଲିଶିର ସ୍ୱାଦ ଚାଖିବାକୁ ଲୋକେ ଅପେକ୍ଷା କରୁଛନ୍ତି।

You may have missed