August 10, 2026

ବିଶ୍ୱ ଆଦିବାସୀ ଦିବସରେ କୋରାପୁଟରେ ଗୁଞ୍ଜିଲା ଆଦିବାସୀଙ୍କ ସ୍ୱର ପାରମ୍ପରିକ ନାଚଗୀତରେ ସହର ପରିକ୍ରମା, ପ୍ଲାକାର୍ଡ ଓ ପାମ୍ପଲେଟ୍‌ରେ ଉଠିଲା ବିଭିନ୍ନ ଦାବି

IMG-20260809-WA0016
Share

କୋରାପୁଟ, ୯/୮: ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି କୋରାପୁଟ ସହର ଆଦିବାସୀ ସଂସ୍କୃତି ଓ ଅଧିକାରର ସ୍ୱରରେ ପ୍ରକମ୍ପିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଆଦିବାସୀ ସମାଜର ଲୋକେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

 

ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଆଦିବାସୀମାନେ ନିଜର ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚଗୀତ ପରିବେଷଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହା ମାଧ୍ୟମରେ ଆଦିବାସୀ ସମାଜର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଏକତାର ଝଲକ ପ୍ରଦର୍ଶିତ ହୋଇଥିଲା।

 

ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ପ୍ଲାକାର୍ଡ ଓ ପାମ୍ପଲେଟ୍ ହାତରେ ଧରିଥିଲେ। ସେଥିରେ ଆଦିବାସୀ ସମାଜ ଦୀର୍ଘଦିନ ଧରି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଉଲ୍ଲେଖ ରହିଥିଲା। ଜମି ଓ ଜଙ୍ଗଲ ଅଧିକାରର ସୁରକ୍ଷା, ଶିକ୍ଷା ଓ ରୋଜଗାରର ସୁଯୋଗ, ସ୍ୱାସ୍ଥ୍ୟସେବାର ସୁବିଧା ଏବଂ ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ଗୁରୁତ୍ୱ ଦେବା ପାଇଁ ଦାବି ଉଠିଥିଲା।

 

ଶୋଭାଯାତ୍ରାରେ ଆଦିବାସୀ ଯୁବକ, ଯୁବତୀ, ମହିଳା ଓ ବୟସ୍କମାନଙ୍କ ସହ ବିଭିନ୍ନ ଆଦିବାସୀ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ। ନାଚଗୀତ ସହ ନିଜର ଦାବି ଓ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ ଏହି ଶୋଭାଯାତ୍ରା ଏକ ମାଧ୍ୟମ ପାଲଟିଥିଲା।

 

“ଆମର ସଂସ୍କୃତି ଓ ପରମ୍ପରା ହିଁ ଆମର ପରିଚୟ। ଆଦିବାସୀଙ୍କ ଅଧିକାର ଓ ସମସ୍ୟା ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ”—ବୋଲି ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ମତ ପ୍ରକାଶ କରିଥିଲେ।

 

ବିଶ୍ୱ ଆଦିବାସୀ ଦିବସରେ କୋରାପୁଟ ସହରରେ ଆୟୋଜିତ ଏହି ଶୋଭାଯାତ୍ରା ଆଦିବାସୀ ସମାଜର ଏକତା, ସ୍ୱାଭିମାନ ଓ ନିଜ ଅଧିକାର ପ୍ରତି ସଚେତନତାର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲା।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed