ନୀଳାଦ୍ରି ବିଜେ କଲେ ତିନି ଠାକୁର
ବୁଗୁଡା : ତା୨୭/୦୭/୨୬ : ଆଜି ନୀଳାଦ୍ରି ବିଜେ କଲେ ତିନି ଠାକୁର l ମଝି ଦାଣ୍ଡରେ ଅଟକି ଥିବା ରଥକୁ ଆଜି ସନ୍ଧ୍ୟାରେ ଭକ୍ତଙ୍କ ଗହଣରେ ରଥ ଟଣାହୋଇ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା l ସକାଳେ ମଙ୍ଗଳ ଆଳତି, କାଠି ଆଳତି, ଠାକୁରଙ୍କୁ ପୁରୁସୂକ୍ତ ମନ୍ତ୍ରରେ ସ୍ନାନ ପରେ ବାଳ ଭୋଗ ଏବଂ ମହାଲକ୍ଷ୍ମୀଙ୍କ ଅନ୍ନ ଭୋଗ ପରେ ଅପରାହ୍ନରେ ପୁରୋହିତଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ମହାଲକ୍ଷ୍ମୀ ଭେଟ, ମାଉସୀ ମା’ ପୋଡ଼ପିଠା ଭୋଗ ପରେ ରଥ ପରିକ୍ରମା କରି ମହାଲକ୍ଷ୍ମୀ ଚାହାଣି ମଣ୍ଡପରେ ବିଜେ କରିଥିଲେ l ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ରଥ ସିଂହଦ୍ୱାର ନିକଟରେ ପହଞ୍ଚିଥିଲା l ସନ୍ଧ୍ୟା ଆଳତି ପରେ ତିନି ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ମହାଲକ୍ଷ୍ମୀ କବାଟ କିଳି ଦେଇଥିଲେ । ଏହାପରେ ଗୁଣ୍ଡିଚା ବିଜେ ପୁରାଣ ପାଠ ହୋଇଥିଲା l ପ୍ରଥମେ ବଳଦେବ ଓ ଦ୍ଵିତୀୟରେ ଜଗନ୍ନାଥ ଓ ସୁଭଦ୍ରା ଲକ୍ଷ୍ମୀଙ୍କୁ ଭେଟି ତାଙ୍କର ମାନଭଞ୍ଜନ ପରେ ତିନି ଠାକୁର ସିଂହାସନ ଆରୋହଣ କରିଥିଲେ l ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ l
