ରାସ୍ତା ମଝିରେ ବଡ଼ ଖାଲ, ବଢ଼ୁଛି ଦୁର୍ଘଟଣା ଆଶଙ୍କା ଗଛ ଡାଳ ପକାଇ ଯାନଚାଳକଙ୍କୁ ସତର୍କ କଲେ ସ୍ଥାନୀୟ ଲୋକ
ଖୋର୍ଦ୍ଧା:( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା–ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା ମଝିରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦଜନକ ହୋଇପଡ଼ିଛି। ବିଶେଷକରି ବର୍ଷା ଦିନରେ ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ସେଗୁଡ଼ିକ ଦୃଶ୍ୟମାନ ହେଉନାହିଁ, ଫଳରେ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯାନଚାଳକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ସେମାନେ ଖାଲ ନିକଟରେ ଗଛ ଡାଳ ପକାଇ ବିପଦଜନକ ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହା ଦ୍ୱାରା ଦିନ ଓ ରାତିରେ ଯାତାୟାତ କରୁଥିବା ଚାଳକମାନେ ସତର୍କ ହୋଇପାରିବେ ବୋଲି ସେମାନେ କହିଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ସମ୍ପର୍କରେ ସମ୍ପୃକ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ମରାମତି କାମ କରାଯାଇନାହିଁ।ତେଣୁ ତୁରନ୍ତ ରାସ୍ତାର ମରାମତି, ବିପଦଜନକ ସ୍ଥାନରେ ସତର୍କ ସୂଚନାଫଳକ ସ୍ଥାପନ ଏବଂ ଯାତାୟାତ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦୃଢ଼ ଦାବି ଜଣାଇଛନ୍ତି।
