ଭୁଶୁଡ଼ିଲା ବିଦ୍ୟାଧରପୁର-ବାଲିବରେଇ ପୋଲ
ହାଟଡିହି ତା ୨୪/୦୭ (ମନମୋହନ ନାୟକ): କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଦ୍ୟାଧରପୁର ବ୍ୟାରେଜ୍ଠାରୁ ବାଲିବରେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଥିବା ଦୁର୍ବଳ ପୋଲଟି ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି। ପୋଲର ଗୋଟିଏ ସ୍ପାନ୍ ଭାଙ୍ଗିଯାଇଥିବା ବେଳେ ବହୁ ଲୋକ ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ଖବରରୁ ଅନୁଯାୟୀ, ବିଦ୍ୟାଧରପୁର-ବାଲିବରେଇ ରାସ୍ତାଟି ବାଲେଶ୍ଵର ଜିଲା ମହୁଲପଙ୍ଖାକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ଦୈନିକ ଶହ ଶହ ଲୋକ ନିର୍ଭର କରିବା ସହିତ ଯାତ୍ରୀବାହୀ ବସ୍ ଚଳାଚଳ କରିଥାଏ। ଏହି ପୋଲଟି ଦୁର୍ବଳ ହୋଇପଡ଼ିଥିବାରୁ ନୂତନ ପୋଲ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ଏହାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ପୋଲର ଦୁଇ ପାର୍ଶ୍ଵ ମୁଣ୍ଡରେ ମୃଭିକା ପରୀକ୍ଷା କରାଯାଇଥିଲା ଏବଂ ସେହି ପୋଲ ଉପରେ ଭାରିଯାନ ନ ଯିବା ପାଇଁ ବିଭାଗ ପକ୍ଷରୁ ସୂଚନା ଫଳକ ମଧ୍ଯ ଲଗାଯାଇଥିଲା। ଗତକାଲି ରାତି ପ୍ରାୟ ୯ ଘଟିକା ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଗାଁ ଲୋକ ଚାଲିଚାଲି ଯାଉଥିବା ସମୟରେ ହଠାତ୍ ପୋଲର ଗୋଟିଏ ସ୍ବାନ୍ ଭୁଶୁଡ଼ି ପଡ଼ିଥିଲା। ଏହା ଦେଖ୍ ଗାଁ ଲୋକଙ୍କୁ ଖବର ଦିଆଯିବା ପରେ ଗ୍ରାମବାସୀ ଆସି ତୁରନ୍ତ ପୋଲର ଦୁଇ ପାର୍ଶ୍ଵରେ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଥିଲେ I ଫଳରେ ଏକ ବଡ଼ ଦୁର୍ଘଟଣାରୁ ବହୁ ଲୋକଙ୍କ ଜୀବନ ବର୍ଷିଯାଇଛି। ଏହାକୁ ନେଇ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ରଜତ ସେଠୀ ଭୁଶୁଡ଼ି ପଡ଼ିଥିବା ପୋଲ ନିକଟରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପୋଲର ଦୁଇ ପାର୍ଶ୍ଵରେ ‘ନିଷିଦ୍ଧ ଅଞ୍ଚଳ’ ସାଇନ୍ ବୋର୍ଡ ଲଗାଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ଯନ୍ତ୍ରୀ ଶ୍ରୀ ସେଠୀ କହିଛନ୍ତି ଯେ, ପୋଲଟି ଦୁର୍ବଳ ଥିବାରୁ ପୂର୍ବରୁ ଭାରିଯାନ ନ ଯିବା ପାଇଁ ସାଇନ୍ ବୋର୍ଡ ମରାଯାଇଥିଲା। ଏବେ ପୋଲର ମାଟି ପରୀକ୍ଷା ପରେ ଟେଣ୍ଡର କରାଯାଇ ନୂତନ ପୋଲ ନିର୍ମାଣ କରାଯିବ । ଅପରପକ୍ଷରେ, ଏହି ରାସ୍ତା ଉପରେ ବହୁ ଗ୍ରାମବାସୀ ନିର୍ଭର କରୁଥିବାରୁ ଯାତାୟାତ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
