ଖମାରପଦର ଗ୍ରାମର ରାସ୍ତାକୁ ନେଇ ପ୍ରବଳ ଜନ ଅସନ୍ତୋଷ। ଶୀଘ୍ର ତିଆରି ଦାବି

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତ ଅଧିନସ୍ଥ ଖମାରପଦର ଗ୍ରାମର ବାସିନ୍ଦା ଗ୍ରାମର ମୁଖ୍ୟ ରାସ୍ତାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ଅନୁଯାୟୀ, ପାଡ଼େପଦର ଗ୍ରାମ ଠାରୁ ଖମାରପଦର ଗ୍ରାମ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଟି ବର୍ଷ ବର୍ଷ ଧରି ତିଆରି ନହେବା ଯୋଗୁଁ ବର୍ଷା ଦିନ ଆସିଲେ ରାସ୍ତାଟି ସମ୍ପୂର୍ଣ ରୂପେ ପାଣି କାଦୁଅରେ ପରିପୂର୍ଣ୍ଣ ହୋଇଯାଏ। ଯାହାଫଳରେ ଯାନବାହାନ ଚଳାଚଳରେ ସମ୍ପୂର୍ଣ ରୂପେ ବାଧାପ୍ରାପ୍ତ ହେଉଥିବାବେଳେ, ଗାଁର ଛାତ୍ର ଛାତ୍ରୀ ତଥା ଜନ ସାଧାରଣ ଉଚ୍ଚଶିକ୍ଷା ପାଇଁ, ଚିକିତ୍ସା ପାଇଁ, ରୋଜଗାର ପାଇଁ ତଥା ପଞ୍ଚାୟତ କାର୍ଯ୍ୟାଳୟକୁ, ନିଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏହି ରାସ୍ତାରେ ସାଇକଲ କିମ୍ବା ଚାଲି ଚାଲି ମଧ୍ୟ ଯିବା ଆସିବା କରିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳିନ ପରିସ୍ଥିତିରେ ଏହି ଗାଁକୁ ଆମ୍ବୁଲାନ୍ସ ଆସି ନପାରି ଅଧା ବାଟରେ ରହି ଯାଉଥିବା ଯୋଗୁଁ ଗାଁ ଲୋକେ ରୋଗୀକୁ ଖଟିଆରେ ବୋହି ବଡ କଷ୍ଟରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥାନ୍ତି। ଏଥିଯୋଗୁଁ ଗତ ବର୍ଷ ମଧ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା।ଏନେଇ ଗ୍ରାମବାସି ଆହୁରି ମଧ୍ୟ ଜଣାଇଛନ୍ତି ଯେ’ ଏହି ରାସ୍ତାଟିକୁ ପକ୍କା କରିବାପାଇଁ ଗ୍ରାମବାସିଙ୍କ ତରଫରୁ ଅନେକ ଥର ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ ଅଧିକାରିଙ୍କୁ ଲିଖିତ ଓ ମୌଖିକ ଭାବରେ ଜଣାଇଥିବା ସତ୍ତ୍ୱେ, କାହାର ଆଜି ପର୍ଯ୍ୟନ୍ତ କରୁଣା ଦୃଷ୍ଟି ପଡିନଥିବା ଯୋଗୁଁ ଗ୍ରାମବାସି ପୁଣିଥରେ ବାଧ୍ୟ ହୋଇ ଏହି ରାସ୍ତାଟିକୁ ପକ୍କା କରିବାପାଇଁ ଗଣମାଧ୍ୟମ ଜରିଆରେ ଦାବି ଜଣାଇଛନ୍ତି।
