July 21, 2026

ରାଜ୍ୟବ୍ୟାପି ସାର ସଙ୍କଟ ଘଟଣା : ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲା ଚାଷୀ ସୁରକ୍ଷା ଅଭିଯାନ

IMG-20260721-WA0015
Share

 

ବ୍ରହ୍ମପୁର,21/7 : ରାଜ୍ୟରେ ଚଳିତ ଜୁଲାଇ ମାସରେ ଭଲ ମୌସୁମୀ ବର୍ଷା ପରେ ଚାଷୀ ମାନେ ଖରିଫ ଧାନ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏତିକି ବେଳେ ଦେଖାଦେଇଥିବା ସାର ସଙ୍କଟ ଚାଷ ପାଇଁ ଚାଷୀଙ୍କ ସରାଗ ଭାଙ୍ଗି ଦେଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ୟୁରିଆ ଏବଂ ଡିଏପି ସାର ପାଇଁ ଚାଷୀ ରାତି ଅଧରୁ ପାକୁ ଓ ଲ୍ୟାମ୍ପ ଆଗରେ ଆଧାର କାର୍ଡ ଦେଇ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି। ମାତ୍ର ସେମାନଙ୍କୁ ଆବଶ୍ୟକ ପରିମାଣରେ ସାର ମିଳୁ ନାହିଁ । ହେଲେ ଖୋଲାବଜାରରେ ଚଢ଼ା ଦରରେ କିନ୍ତୁ ସାର ଯାହାକୁ ଯେତେ ମିଳୁଥିବା ପରିଲକ୍ଷିତ ହେଉଛି। ଏହାକୁ ନେଇ ଚାଷୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ସମାନ ସମୟରେ ସରକାରଙ୍କ ଏକ ନିର୍ଦ୍ଦେଶନାମା ଏହି ଅସନ୍ତୋଷକୁ ଦ୍ବିଗୁଣିତ କରିଛି । ତେଣୁ ସରକାର ଯଥାଶୀଘ୍ର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦିଅନ୍ତୁ ବୋଲି ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଦାବି କରିଛନ୍ତି। ଅନ୍ୟପଟେ ସରକାର ସମବାୟ ସମିତି ଜରିଆରେ ସାର ଯୋଗାଣ ବ୍ୟବସ୍ଥା ନ କରି ଅପରପକ୍ଷେ ଡିଲରଙ୍କ ଦ୍ଵାରା ବଣ୍ଟନ ଦାୟିତ୍ଵ ହସ୍ତାନ୍ତର କରିଥିବାରୁ କଳାବଜାରୀ ହେଉଥିବା ଶ୍ରୀ ରଥ ଅଭିଯୋଗ କରିଛନ୍ତି।

ଧାନତଳି ଓ ରୁଆପୋତା ପାଇଁ ଚାଷୀକୁ ଏବେ ୟୁରିଆ ଓ ଡିଏପି ସାର ଆବଶ୍ୟକ ଥିବାବେଳେ ରାଜ୍ୟ ସରକାର ଏହା ବଦଳରେ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ ଓ କମ୍ପ୍ଲେକ୍ସ ସାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଅଞ୍ଚଳରେ ସାର କଳାବଜାର ହୋଇ ୟୁରିଆ ସାର ସରକାରୀ ଦର 266 ଥିବା ବେଳେ ଚାଷୀମାନେ ବାହାରୁ 700 ଟଙ୍କାରେ କ୍ରୟ କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ଦ୍ଵିଗୁଣିତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କୁହାଯାଉଥିଲେ ମଧ୍ୟ ଚାଷୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି। ଗତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ହେରଫେର ଅଭିଯୋଗ ହୋଇଥିଲେ ମଧ୍ୟ ଏ ଦିଗରେ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି।

ଅନ୍ୟପଟେ ୟୁରିଆ ବଦଳରେ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ ବ୍ୟବହାର କରିବାକୁ ଚାଷୀ ଅନିଚ୍ଛା ପ୍ରକାଶ କରୁଛନ୍ତି । କାରଣ 1 କୁଇଣ୍ଟାଲ ୟୁରିଆରେ କ୍ଷେତକୁ 46 କିଲୋ ନାଇଟ୍ରୋଜେନ ମିଳେ ମାତ୍ର ସେହି 1 କୁଇଣ୍ଟାଲ ଆମୋନିୟମ୍‌‍ ସଲ୍‌‍ଫେଟ୍‌‍ରେ 20 କିଲୋ ନାଇଟ୍ରୋଜେନ ମିଳିବ, ଯାହାହାରା ଚାଷୀର ଉତ୍ପାଦନ ପ୍ରଭାବିତ ହେବ। ଏହାବ୍ୟତୀତ ୟୁରିଆ ତୁଳନାରେ ଆମୋନିୟମ୍‌‍ ସଲ୍‌‍ଫେଟର ଦାମ୍‌‍ ମଧ୍ୟ ଅଧିକ ରହୁଛି, ଯାହାକୁ ନେଇ ଚାଷୀକୁଳରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଛି ।

ୟୁରିଆ ସାର ମହଜୁଦ ନଥିବାରୁ ଚାଷୀମାନଙ୍କୁ ବିକଳ୍ପ ଭାବେ ଅନ୍ୟ ସାର ନେବାକୁ ବାଧ୍ୟ କରାଯାଉଛି। ଚାଷୀଙ୍କୁ ସରକାର ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇଦେବାକୁ ଚାଷୀ ସୁରକ୍ଷା ଅଭିଯାନର ଆବାହକ ଶ୍ରୀ ରଥ ଦାବି କରିଛନ୍ତି ।

 

 

(ରବି ରଥ)

ଆବାହକ, ଚାଷୀ ସୁରକ୍ଷା ଅଭିଯାନ, ଓଡ଼ିଶା