ଉମରକୋଟ ନିକଟସ୍ଥ ଭୀମାଗୁଡା ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ଉତ୍ସବ: ୩୦୦ରୁ ଅଧିକ ଚାରାରୋପଣ……….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମାଗୁଡା ସରକାରୀ ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ଉତ୍ସବ ଅବସରରେ ବ୍ୟାପକ ଚାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଛାତ୍ରୀମାନଙ୍କ ମନରେ ବୃକ୍ଷପ୍ରେମ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସର ଓ ଖେଳ ପଡ଼ିଆର ଉଭୟ ପାର୍ଶ୍ୱରେ ୩୦୦ରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତନୁଜା ପନକା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରାକେଶ କୁମାର ଜେନା, କୁର୍ସୋ ଗଉଁନ୍ତିଆ, ପିତମ ଭତ୍ରା, ଭଗବାନ ପୂଜାରୀ, ସନିଆ ଭତ୍ରା ଏବଂ ଡାବୁଗାଁ ପ୍ରେସ୍ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଏବଂ ବହୁ ସଂଖ୍ୟକ ଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଓ ଚନ୍ଦନ ଟିକା ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବକ୍ତାମାନେ ବୃକ୍ଷରୋପଣର ଆବଶ୍ୟକତା, ପରିବେଶ ସନ୍ତୁଳନରେ ବୃକ୍ଷର ଭୂମିକା ଏବଂ ବନ ଧ୍ୱଂସର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେଲେ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଢ଼ି ଉଠିବ ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣର ଉପକାରିତା ଉପରେ ନିଜ ମତାମତ ରଖିଥିଲେ। ଶିକ୍ଷକ ବିକାଶ ବିଶ୍ୱାସ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଶେଷରେ ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ସମସ୍ତ ଅତିଥି, ଗ୍ରାମବାସୀ, ଅଭିଭାବକ ଓ ଛାତ୍ରୀମାନଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ବୃକ୍ଷରୋପଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।
