ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର

ସମ୍ବଲପୁର ,୧୪।୦୭(): ପିତୃମାତୃହୀନ ଏବଂ ଏକକ ଅଭିଭାବକଙ୍କ ଅଧୀନରେ ଥିବା ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଓ ଉପଯୁକ୍ତ ଥଇଥାନ ଏବଂ ସରକାରୀ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମାନେଶ୍ଵର ବ୍ଲକରେ ଆଜି ଏକ ସ୍ଵତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଛି I ଏହି କ୍ୟାମ୍ପରେ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ମୋଟ ୨୬ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା I ସମିତି ପକ୍ଷରୁ ତଦନ୍ତ ପ୍ରକ୍ରିୟା ସମାପ୍ତ ପରେ ଯୋଗ୍ୟ ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ଯାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚି ତ କରାଯିବାକୁ ଚିହ୍ନଟ କରାଯାଇଛି।ସମ୍ବଲପୁର ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡ଼ା. ରାଜାରାମ ଷଡ଼ଙ୍ଗୀ ଓ ଦିଲ୍ଲୀପ କୁମାର ମୁଖି ଉପସ୍ଥିତ ରହି ଶିଶୁମାନଙ୍କର ଉପସ୍ଥାପନା ଗ୍ରହଣ କରିଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡ ହେଲ୍ପଲାଇନ ପକ୍ଷରୁ ବିଭିନ୍ନ ସଚେତନତା କରାଯିବା ସହିତ ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
