ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ
ସମ୍ବଲପୁର, ୨୬. ୦୬():ସ୍ବେଛାସେବୀ ସଂଗଠନ ସାର୍କ ଦ୍ବାରା ପରିଚାଳିତ କୁଚିଣ୍ଡା ୱାତି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ କରାଯାଇଛି।କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବଡମୁଣ୍ଡାଲୋଇ ଗ୍ରାମରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଏହା ବଣ୍ଟନ କରାଯାଇଛି।
ଧରଣୀଧର ଲେଙ୍କା ଉତ୍ପାଦକ କମ୍ପାନୀ ର ଚେୟାରମେନ ସନ୍ତୋଷ କିସାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ବୈଠକରେ ନାବାର୍ଡର ଇଜିଏମ ଧୀରେନ୍ଦ୍ର କୁମାର ଦାସ, ଏସଵିଆଇ ଲିଡ୍ ବ୍ୟାଙ୍କ ମ୍ୟାନେଜର ଦେବକିଶୋର ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସ୍ବାଗତିକା ଶ୍ରୀଚନ୍ଦନ, ଓଡ଼ିଶା ଜୀବିକା ମିଶନ, ସମ୍ବଲପୁରର ଏଫଆଇସି ଆର୍ଥିକ ସାକ୍ଷରତା ପରାମର୍ଶଦାତା ଶିବପ୍ରସାଦ ବେହେରା, ସାର୍କର ସଭାପତି ରଘୁମଣି ହୋତା, ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ, କମ୍ପାନୀର ସିଇଓ ସଞ୍ଜୀବ କୁମାର ସାହୁ ଏବଂ ରିୱାର୍ଡ ପ୍ରକଳ୍ପର ସିଦ୍ଧାର୍ଥ ଦେବ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଚାଷୀମାନଙ୍କୁ ଲାଭାଂଶ ବଣ୍ଟନ କରିଥିଲେ।ସୂଚନାଯୋଗ୍ୟ ଯେ, କୁଚିଣ୍ଡା ବ୍ଳକର ୧୮ଟି ଆଦିବାସୀ ବହୁଳ ଗ୍ରାମରେ ୫୦୦ ଏକର ପତିତ ଜମିରେ ୨୦୨୨ ମସିହାରୁ ୱାଡି ପ୍ରକଳ୍ପ ମାଧ୍ୟମରେ ଆମ୍ବ, କାଜୁ ସମେତ ବିଭିନ୍ନ ଅନ୍ତଃଫସଲ ଚାଷ କରାଯାଉଛି। ଏହି ପ୍ରକଳ୍ପ ଦ୍ବାରା ଚାଷୀମାନଙ୍କ ଆର୍ଥିକ ସ୍ଵାବଲମ୍ବନ ବୃଦ୍ଧି ସହ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି ହୋଇଛି।
ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ସହ ବିହନ, ଜୈବିକ ସାର ଓ କୃଷି ଉପକରଣ ଯୋଗାଇବା ଉଦ୍ଦେଶ୍ୟରେ ଧରଣୀଧର ଲେଙ୍କା ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି । ଏହା ବ୍ୟତୀତ ବଡମୁଣ୍ଡାଲୋଇ କନ୍ଧପଡ଼ାଠାରେ ନାବାର୍ଡ ସହଯୋଗରେ ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ, ମହୁଚାଷ, ଜିଆଖତ ପ୍ରସ୍ତୁତି ଏବଂ ଅର୍ଥକାରୀ ପନିପରିବା ଚାଷକୁ ଉତ୍ପାଦକ କମ୍ପାନୀ ମାଧ୍ଯମରେ ବ୍ୟବସାୟିକ ଭିତ୍ତିରେ ପରିଚାଳନା କରାଯାଉଛି।ଅତିଥିମାନେ ୱାଡି ପ୍ରକଳ୍ପ ମାଧ୍ଯମରେ ଚାଷୀଙ୍କ ଆୟ ବୃଦ୍ଧି, ସଂଗଠିତ କୃଷି ବ୍ୟବସ୍ଥା ଏବଂ ଉତ୍ପାଦକ କମ୍ପାନୀର ଭୂମିକାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହି ପ୍ରୟାସ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଥିଲେ।
