September 25, 2026

ବାଲ୍ୟ ବିବାହ ରୋକିବା ଓ ଋତୁସ୍ରାବ ଜନିତ ସାମାଜିକ କଳଙ୍କ ଦୂର କରିବା ପାଇଁ କୃଷ୍ଣା ନାଏକ ଚଳାଇଛନ୍ତି ସଚେତନତା ଅଭିଯାନ

IMG-20260605-WA0000
Share

 

– ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପରେ ଆଡୋଲେସେଣ୍ଟ ହେଲ୍‌‌‌ଥ ଫାସିଲିଟେଟର ଭାବେ କାର୍ଯ୍ୟରତ

 

ମେରାମଣ୍ଡଳୀ, ୦୪/୦୬ /୨୦୨୬: ମାତ୍ର ୧୯ ବର୍ଷ ବୟସରେ, ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନିମଡ଼ିହ ପଞ୍ଚାୟତର କୃଷ୍ଣା ନାଏକ, କିଶୋର ଅଧିକାର, ଋତୁସ୍ରାବ ସଚେତନତା, ବାଲ୍ୟବିବାହ ବିରୋଧରେ ଏକ ଶକ୍ତିଶାଳୀ ସ୍ୱର ଭାବେ ଉଭା ହୋଇଛନ୍ତି। ପରିବର୍ତ୍ତନର ରୋଲ୍ ମଡେଲ ସାଜିଥିବା କୃଷ୍ଣା ନିଜ ଗ୍ରାମରେ ବାଲ୍ୟ ବିବାହ ରୋକିବା ସହ ଋତୁସ୍ରାବ ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କିଶୋରୀ ଓ ଅଭିଭାବକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି।

୨୦୨୩ ମସିହାରେ କୃଷ୍ଣା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ‘ରିସ୍ତା’ ପ୍ରକଳ୍ପରେ ସାମିଲ ହୋଇଥିଲେ। ସେବେଠାରୁ ସେ ଆଡୋଲେସେଣ୍ଟ ହେଲ୍‌‌‌ଥ ଫାସିଲିଟେଟର (ଏଏଚ୍‌‌ଏଫ୍‌‌)ଙ୍କ ସହ ମିଶି ଗ୍ରାମାଞ୍ଚଳରେ ସଚେତନତା ସଭା, କାଉନସେଲିଂ ମାଧ୍ୟମରେ କିଶୋର-କିଶୋରୀ ଓ ସେମାନଙ୍କ ପିତାମାତାଙ୍କୁ ସଚେତନ କରୁଛନ୍ତି। ସେ ନିଜ ଗ୍ରାମରେ ଏକ ‘ୟୁଥ୍ ରିସୋର୍ସ କ୍ଲବ’ ଗଠନ କରିଛନ୍ତି। ସେଠାରେ ନିୟମିତ ଭାବେ ସାମାଜିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରାଯାଉଛି।

ନିମଡ଼ିହ ପଞ୍ଚାୟତର ସରପଞ୍ଚ ଚୁମୁକି ବେହେରା କହିଛନ୍ତି, “କୃଷ୍ଣା ଗ୍ରାମର କିଶୋର-କିଶୋରୀମାନଙ୍କୁ ସଂଗଠିତ କରି ବାଲ୍ୟ ବିବାହ ଓ ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ ସଚେତନତା ସଭା, ଶୋଭାଯାତ୍ରାରେ ସାମିଲ କରୁଛନ୍ତି। ଏହି ଯୁବ ନେତୃତ୍ୱ ଯୋଗୁ ଆମ ଗ୍ରାମରେ ବାଲ୍ୟ ବିବାହ ଘଟଣା ଯଥେଷ୍ଟ ହ୍ରାସ ପାଇଛି।’

ଯେତେବେଳେ ବି ଗ୍ରାମରେ ବାଲ୍ୟବିବାହ ହେବା ସମ୍ପର୍କରେ ସେ ଜାଣନ୍ତି, ସେ ସଙ୍ଗେ ସଙ୍ଗେ ଏଏଚ୍‌‌ଏଫ୍ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟି ସହ ଯୋଗାଯୋଗ କରି ପରିବାର ଲୋକଙ୍କର କାଉନସେଲିଂ କରନ୍ତି। ଅନେକ କ୍ଷେତ୍ରରେ ଏହା ଫଳପ୍ରଦ ମଧ୍ୟ ହୋଇଛି। ସେ ନିଜ ଗ୍ରାମରେ ତିନୋଟି ବାଲ୍ୟ ବିବାହକୁ ସଫଳତାର ସହ ରୋକି ପାରିଛନ୍ତି।

ଏ ସମ୍ପର୍କରେ କୃଷ୍ଣା କୁହନ୍ତି, “ପୂର୍ବରୁ ମୁଁ ଭଲ ଭାବେ ବୁଝି ନଥିଲି ଯେ, ବାଲ୍ୟ ବିବାହ କିଭଳି ଜଣେ ଝିଅର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ନଷ୍ଟ କରିଦିଏ। ମାତ୍ର ‘ରିସ୍ତା’ ପ୍ରକଳ୍ପ ସହିତ ଯୋଡି ହେବା ପରେ ମୁଁ ଅନୁଭବ କରିଲି ଯେ, ସଠିକ୍ ସମୟରେ ସଚେତନତା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ଅନେକ ଜୀବନ ନଷ୍ଟ ହେବାରୁ ରକ୍ଷା କରାଯାଇପାରିବ। ଅନେକ ଲୋକ ମୋର ଏହି ପ୍ରୟାସକୁ ବିରୋଧ କରିଥିଲେ ମଧ୍ୟ ଆମ ଗ୍ରାମର ଝିଅମାନଙ୍କ କଲ୍ୟାଣ ପାଇଁ ମୁଁ କେବେ ପଛଘୁଞ୍ଚା ଦେଇନାହିଁ।’

ଏହା ବ୍ୟତୀତ କୃଷ୍ଣା ଗ୍ରାମର ୫ଟି ପରିବାରକୁ ‘ଆୟୁଷ୍ମାନ ଭାରତ ହେଲ୍‌‌‌ଥ କାର୍ଡ’ ପ୍ରଦାନ କରିବାରେ ସାହାଯ୍ୟ କରିଛନ୍ତି ଏବଂ ଋତୁସ୍ରାବ ଓ ପ୍ରଜନନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ୫ ଜଣ କିଶୋରୀଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇବାରେ ସହଯୋଗ କରିଛନ୍ତି। ସ୍ଥାନୀୟ ଆଶା କର୍ମୀ ବେବି ବେହେରା କହିଛନ୍ତି ଯେ, କୃଷ୍ଣା ଜଣେ ପ୍ରକୃତ ‘ରୋଲ୍ ମଡେଲ୍‌‌’।

ସମାଜକୁ ସଚେତନ କରିବା ପାଇଁ କୃଷ୍ଣା ପଥପ୍ରାନ୍ତ ନାଟକର ମଧ୍ୟ ଆୟୋଜନ କରିଛନ୍ତି। ଏହି ସମସ୍ତ ପ୍ରୟାସ ପାଇଁ ଟିଏସଏଫ୍ ଦ୍ୱାରା ଜାମସେଦପୁରଠାରେ ଆୟୋଜିତ ‘ଧ୍ୱନି’ କାର୍ଯ୍ୟକ୍ରମରେ ତାଙ୍କୁ ‘ୟଙ୍ଗ ଚେଞ୍ଜମେକର ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା।

ଆଗାମୀ ଦିନରେ କୃଷ୍ଣା ଅଧିକରୁ ଅଧିକ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପରିବାରକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବା ସହ ଯୋଡ଼ିବାକୁ ଏବଂ ଝିଅମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭୋକେସନାଲ୍ ଟ୍ରେନିଂର ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି।

You may have missed