May 23, 2026

ନବରଙ୍ଗପୁର ଜିଲ୍ଲା ବନ ବିଭାଗ ର ସଫଳତା ୬ ଫୁଟ୍ ଲମ୍ବର ବାଘ ଛାଲ ସହ ଦୁଇଜଣ ଗିରଫ…….

IMG-20260522-WA0009
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ କଲରା ପତରିଆ ବାଘ ଛାଲ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ ଧରା ପଡ଼ିଛନ୍ତି ଦୁଇ ଜଣ ଆନ୍ତଃଜିଲ୍ଲା ଚୋରା ବ୍ୟବସାୟୀ। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଉମରକୋଟ ଓ କୋଡିଙ୍ଗା ସୀମାନ୍ତ ମାଲବେଡ଼ା ପିଏଫଆର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ତରଫରୁ ମିଳିତ ଅପରେସନ କରାଯାଇଥିଲା। ଏହି ସମୟରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ହରଡାପୁଟ ଗ୍ରାମର କୁନୁ କୁମ୍ଭାର(୪୩) ଓ ବିସିଂଙ୍ଗ ପୁର ଥାନା ଜଡାପୁଟ ଗ୍ରାମର ଦୁର୍ୟ୍ଯ ଗୋଲାରୀ(୪୭) ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣ କାରୀ ଏକ କଲରାପତରିଆ ବାଘ ଛାଲ ଧରି ତାକୁ ବିକ୍ରି ପାଇଁ ଗତକାଲି ରାତ୍ର ୯ ଘଣ୍ଟା ସମୟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ବନ ବିଭାଗର ଟିମ ଏମାନଙ୍କୁ କାବୁ କରିଥିଲା । ବନ ବିଭାଗ ଏମାନଙ୍କ ଠାରୁ ପ୍ରାୟ ୬ ଫୁଟ୍ ଲମ୍ବର ଏକ ବାଘ ଛାଲ ସହ ଚୋରା ଚାଲାଣରେ ବ୍ୟବହୃତ CBZ ମୋଟରସାଇକେଲ ଜବତ କରିଛି। ଏହି ବାଘ ଛାଲ ବୋରିଗୁମ୍ମା ବ୍ଲକ ବିସିଂଙ୍ଗ ପୁର ଥାନା ଚାନ୍ଦବେଡା ଗ୍ରାମରୁ ଆଣିଥିବା ଜଣା ପଡିଛି।ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ର‍୍ୟାକେଟ୍ ପଛରେ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ। ଏହି ଚଢାଉ ସମୟରେ ଉମରକୋଟ ରେଞ୍ଜ ର ଫରେଷ୍ଟର ଲମ୍ବୋଦର ସମରଥ, ଫରେଷ୍ଟ ଗାର୍ଡ ମଳୟ ରଞ୍ଜନ ମଲିକ,ନିରଦ ସୁନା,କୋଡିଙ୍ଗା ରେଞ୍ଜ ର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନନ୍ଦ, ଫରେଷ୍ଟ ଗାର୍ଡ ଉମାଶଙ୍କର ପାଣିଗ୍ରାହୀ, ନବରଙ୍ଗପୁର ରେଞ୍ଜ ର ଫରେଷ୍ଟ ଗାର୍ଡ ଲାଲୁ ବିଷୋୟୀ ଓ ଉମରକୋଟ, ରାଇଘର,କୋଡିଙ୍ଗା, ନବରଙ୍ଗପୁର ର ପାରାଗାଡ ପ୍ରମୁଖ ଉପସ୍ଥିତ ଥିଲେ।