April 26, 2026

ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ବଢୁଛି ଆଖୁରସର ଚାହିଦା।

IMG-20260426-WA0201
Share

 

ବୋଲଗଡ଼,୨୬/୦୪(ଉପାନ୍ତ ଖବର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି,ଯାହା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ଉପରେ ନିର୍ଭର କରୁଥିଲେ ମଧ୍ୟ ସେଥି ମଧ୍ୟରୁ ଆଖୁରସ ଚାହିଦା ବହୁଗୁଣିତ ହୋଇ ଯାଇଛି। ପ୍ରତ୍ୟେକ ଋତୁରେ ଆଖୁରସ ମିଳୁଥିଲେ ମଧ୍ୟ ଖରାଦିନେ ଏହାର ଚାହିଦା ଅଧିକ ବଢ଼ିଯାଏ। ଏବେ ବିଭିନ୍ନ ରାସ୍ତାକଡ଼ ଓ ଛକରେ ସକାଳ ୮ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଆଖୁ ରସ ବେପାର ବେଶ୍‌ ଜମିବା ସହିତ ଗ୍ରାହକ ମାନଙ୍କ ଭିଡ ମଧ୍ୟ ଜମୁଛି। ସମସ୍ତେ ଜାଣନ୍ତି, ଆଖୁ ରସ ମିଠା, କିନ୍ତୁ ସେଥିରେ ଯଦି ଧନିଆ ପତ୍ର, ଆମ୍ବକଷିଆ ଅଦା, ଲେମ୍ବୁ, ଲେମ୍ବୁପତ୍ର ଓ ଗୋଲମରିଚ ମିଶାଇ ଦିଆଯାଏ, ତାହାର ବାସ୍ନା ଓ ସ୍ବାଦ ଦ୍ବିଗୁଣିତ ହୋଇଯାଏ। ଛୋଟ ଗ୍ଲାସ୍‌ର ଦାମ୍‌ ୧୫ଟଙ୍କା ରହିଥିବା ବେଳେ ବଡ଼ ଗ୍ଲାସ୍‌ର ଦାମ୍‌ ୨୦ ଟଙ୍କା ରହିଛି। ଏହି ଆଖୁରସ ପିଇବା ଦ୍ୱାରା ଗରମରୁ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହିତ ଶରୀରକୁ ଥଣ୍ଡା ରଖିଥାଏ। ଆଖୁ ରସ ପ୍ରାକୃତିକ ଓ ସ୍ୱାସ୍ଥ୍ୟକର ପାନୀୟ ଭାବେ ବାଛିଛନ୍ତି ବୋଲି ଆଖୁରସ ପିଉଥିବା ଲୋକ ମାନେ କହିଛନ୍ତି। ଏହି ପ୍ରାକୃତିକ ଆଖୁରସ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହିତ ଖଣିଜ ଲବଣର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ। ଯାହା ଗରମ ଦିନରେ ଅତ୍ୟନ୍ତ ଜରୁରୀ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।