ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ମାଁ ର ଲୁହରୁ ହସର ଠିକଣା, ଝିଅର ନିଆରା ଉଦ୍ୟମ………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ର ବାପାଙ୍କୁ ହରାଇବା ପରେ ବି ଭାଙ୍ଗି ପଡ଼ିନଥିଲେ। ମାଁ’ଙ୍କ ସଂଘର୍ଷ ଓ ତ୍ୟାଗ ହିଁ ପାଲଟିଗଲା ତାଙ୍କ ପାଇଁ ପ୍ରେରଣା। ଚାକିରି ପଛରେ ଦୌଡ଼ିବା ବଦଳରେ ନିଜ ହାତରେ ଗଢ଼ିଲେ ନିଜ ଭବିଷ୍ୟତ। ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ସୁସ୍ଥ ଜୀବନର ବାର୍ତ୍ତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଗୁଲାପସା ନାହାକଙ୍କ ଏହି କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା। ଏ ହେଉଛି ସଂଘର୍ଷରୁ ସଫଳତାର ଯାତ୍ରା। ବାପାଙ୍କ ମୃତ୍ୟୁ ପରେ ତିନି ଝିଅଙ୍କ ଦାୟିତ୍ୱ ଆସିପଡ଼ିଥିଲା ମାଁ ଙ୍କ ଉପରେ। ଆର୍ଥିକ ଅସୁବିଧା ଥିଲା, କିନ୍ତୁ ଝିଅମାନଙ୍କ ଭବିଷ୍ୟତ ପାଇଁ କେବେ ବି ପଛକୁ ହଟିନଥିଲେ ମାଁ’। ନିଜ କଷ୍ଟକୁ ଭୁଲି ତିନି ଝିଅଙ୍କୁ ପାଠ ପଢ଼ାଇଥିଲେ। ମାଁ ଙ୍କ ସେହି ତ୍ୟାଗକୁ ମନେ ରଖିଥିଲେ ମଝିଆ ଝିଅ ଗୁଲାପସା ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ ଚାହିଁଥିଲେ ଚାକିରି କରିବାକୁ। କିନ୍ତୁ ଚାକିରି ଖୋଜିବା ବଦଳରେ ନିଜେ କିଛି କରିବାକୁ ନେଲେ ନିଷ୍ପତ୍ତି। ଏହି ଚିନ୍ତାଧାରାରୁ ଉମରକୋଟ ଗାନ୍ଧୀଛକରେ ଆରମ୍ଭ କଲେ ‘ହେଲଥି କର୍ଣ୍ଣର’ ନାମରେ ଏକ ଛୋଟ ବ୍ୟବସାୟ। ଏଠି ମିଳେନି ତେଲରେ ଭଜା ଖାଦ୍ୟ, ନାହିଁ ଅତ୍ୟଧିକ ମସଲାର ବ୍ୟବହାର। ତାଜା ଫଳ, କାକୁଡ଼ି, ଟମାଟୋ, ତରଭୁଜ, ଗଜାମୁଗ, ବୁଟ, ଚଣା ଭଳି ପୌଷ୍ଟିକ ଖାଦ୍ୟ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଫ୍ରୁଟ୍ ସାଲାଡ୍, ଜୁସ୍ ଓ ବିଭିନ୍ନ ପ୍ରକାରର ହେଲ୍ଥି ଫୁଡ୍। ସ୍ୱାଦ ସହ ସ୍ୱାସ୍ଥ୍ୟର ଏହି ମିଶ୍ରଣ ଏବେ ଉମରକୋଟବାସୀଙ୍କୁ କରୁଛି ଆକର୍ଷିତ। ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନରେ ଲାଗୁଛି ଗ୍ରାହକଙ୍କ ଭିଡ଼। ସ୍ୱାସ୍ଥ୍ୟକର ଖାଦ୍ୟ ପସନ୍ଦ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ଜିମ୍ ଯାଉଥିବା ଯୁବକ-ଯୁବତୀ ଏବଂ ସାଧାରଣ ଗ୍ରାହକ ସମସ୍ତଙ୍କ ମଧ୍ୟରେ ଧୀରେ ଧୀରେ ଲୋକପ୍ରିୟ ହେଉଛି ଏହି ହେଲଥି କର୍ଣ୍ଣର। ତେବେ ଏହି ସଫଳତା ପଛରେ ରହିଛି ଜଣେ ମା’ଙ୍କ ତ୍ୟାଗର କାହାଣୀ। ସ୍ୱାମୀଙ୍କୁ ହରାଇବା ପରେ ଅନେକ ଅସୁବିଧା ମଧ୍ୟରେ ତିନି ଝିଅଙ୍କୁ ବଡ଼ କରିଥିଲେ ମା’। ଆଜି ସେହି ମା’ଙ୍କ ସଂଘର୍ଷକୁ ସମ୍ମାନ ଦେଇ ନିଜ ଗୋଡ଼ରେ ନିଜେ ଠିଆ ହୋଇଛନ୍ତି ଗୁଲାପସା ସାନ ଭଉଣୀ ମଧ୍ୟ ଦିଦିଙ୍କ ସହ କାନ୍ଧ ମିଳାଇ କାମ କରୁଛନ୍ତି। ବେଳେବେଳେ ମା’ ମଧ୍ୟ ଦୋକାନରେ ସହଯୋଗ କରୁଛନ୍ତି। ଗୁଲାପସା ନାହାକଙ୍କ ମତରେ “ମା’ ଆମ ପାଇଁ ବହୁତ କଷ୍ଟ କରିଛନ୍ତି। ତାଙ୍କ କଷ୍ଟ ଦେଖି ନିଜେ କିଛି କରିବାର ଇଚ୍ଛା ହୋଇଥିଲା। ଆଗକୁ ଏହି ବ୍ୟବସାୟକୁ ଆହୁରି ବଢ଼ାଇବା ମୋର ଲକ୍ଷ୍ୟ।” ଗୁଲାପସାଙ୍କ ସ୍ୱପ୍ନ କେବଳ ଗୋଟିଏ ଦୋକାନରେ ସୀମିତ ନୁହେଁ। ଆଗାମୀ ଦିନରେ ଘରେ ଘରେ ହେଲ୍ଥି ଫୁଡ୍ ପହଞ୍ଚାଇବା ସହ ଛୋଟ ପିଲାମାନଙ୍କ ପାଇଁ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିବାର ଯୋଜନା ରହିଛି। ମା’ଙ୍କ ଲୁହକୁ ଦୁର୍ବଳତା ନୁହେଁ, ନିଜ ଜୀବନର ଶକ୍ତି କରିଛନ୍ତି ଗୁଲାପସା ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସୁସ୍ଥ ଜୀବନର ବାଟ ଦେଖାଉଥିବା ଏହି ଯୁବତୀଙ୍କ ଉଦ୍ୟମ ନିଶ୍ଚିତ ଭାବେ ଅନ୍ୟ ଯୁବପିଢ଼ି ପାଇଁ ଏକ ପ୍ରେରଣା।
