ପ୍ରଦୂଷଣ ବଢାଉଛି ଥର୍ମୋକୁଲ ସାମଗ୍ରୀ।

ବୋଲଗଡ଼,୨୩/୦୪(ସୁଶାନ୍ତ କୁମାର ପ୍ରଧାନ):ପଲିଥିନ ଭଳି ପରିବେଶକୁ ଆହୁରି ଅଧିକ ମାତ୍ରାରେ ପ୍ରଦୂଷିତ କରୁଥିବା ‘ଥର୍ମୋକୁଲ’ ସହଜରେ ନଷ୍ଟ ହୁଏ ନାହିଁ। ଯାହା ମାଟି ଓ ଜଳ ପ୍ରଦୂଷଣ ସୃଷ୍ଟିକରେ। ଏହା ବିଷାକ୍ତ ହୋଇଥିବାରୁ ଏହାର ବ୍ୟବହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଯାରି କରାଯାଇ ଥିଲେ ମଧ୍ୟ ଏହି ଥର୍ମୋକୁଲର ବ୍ୟବହାର ଏବେ ବୋଲଗଡ଼ ଅଞ୍ଚଳରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ବଜାରଘାଟ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ଉତ୍ସବ ଓ ଭୋଜି ସାଙ୍ଗକୁ ରାସ୍ତା କଡ଼ରେ ଜଳଖିଆ ଦୋକାନୀ ‘ଥର୍ମୋକୁଲ’ ରେ ପ୍ରସ୍ତୁତ ଥାଳି,ଦନା, ଟିଫିନ ପ୍ଲେଟ ଓ କପ୍ ଭଳି ବିଭିନ୍ନ ଆକାରର ଖାଦ୍ୟ ଗ୍ରହଣ ସାମଗ୍ରୀ ପ୍ରଚୁର ମାତ୍ରାରେ ବ୍ୟବହାର କରାଯାଉଛି। ବିଶେଷ କରି ରାସ୍ତା କଡ଼ରେ ଦୋକାନୀ ଏବଂ ବୁଲା ବିକାଳି ଦହିବରା ଆଳୁଦମ ବେପାରୀ ଥର୍ମୋକୁଲ ପ୍ଲେଟ୍ ରେ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦେଖାଦେଇଛି। ବଜାର ଭିତରେ ଥିବା ପଡ଼ିଆ, ଡ୍ରେନ୍, ରାସ୍ତା କଡ଼ରେ କୁଢ କୁଢ ଥର୍ମୋକୁଲ ସାମଗ୍ରୀ ପଡ଼ିଥିବା ସହ ଏଣେତେଣେ ଉଡ଼ି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହା ଦ୍ବାରା ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଗୋଟିଏ ପଟେ ପଲିଥିନ୍, ଥର୍ମୋକୁଲ, ପ୍ଳାଷ୍ଟିକ ବ୍ୟବହାର କୁପରିଣତି ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ ନା’ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏଦିଗରେ ଜିଲ୍ଲା ପ୍ରଶାସନ,ବ୍ଳକ ପ୍ରଶାସନ ଏଭଳି ସାମଗ୍ରୀର ବ୍ୟବହାର ବନ୍ଦ ଦିଗରେ ଆବଶ୍ୟକ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ପରିବେଶ ସୁରକ୍ଷା ଆଇନ ଧାରା ୧୫ ଓ ୧୬/୧୯୮୬ ଅନୁଯାୟୀ ୨୦ ମାଲକ୍ରୋନରୁ କମ ପଲିଥିନ ବ୍ୟବହାର ନିଷେଧ ହୋଇଛି। ପ୍ରସାଶନ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ସହ ଥର୍ମୋକୁଲ ଓ ପଲିଥିନ ମୁକ୍ତ ଓ ସଚେତନତା ସୃଷ୍ଟି କରିବାକୁ ସାଧାରଣରେ ଦାବୀ ହୋଇଛି।
