April 25, 2026

ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

IMG-20260423-WA0007
Share

 

ଅନୁଗୋଳ, ୨୩.୦୪ : ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତ କରି ପ୍ରଥମ ଦିନରେ ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରଦର୍ଶନ ସହ ସମୀକ୍ଷା କରିଛନ୍ତି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକୁ ସେ ତଦାରଖ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ। ପୂର୍ବାହ୍ନରେ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ପରିଦର୍ଶନ କରି ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ନୂତନ କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଗୋତମରାସ୍ଥିତ ମେଗାଲିଫ୍ଟ ପ୍ରକଳ୍ପର ‘ଇନଟେକ୍ ୱେଲ୍’ (Intake Well) କାର୍ଯ୍ୟର ସମୀକ୍ଷା କରି ଏହାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦ୍ୱିପ୍ରହର ସମୟରେ କାର୍ଯ୍ୟ ବନ୍ଦ ରଖିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବଅଁରପାଳ ସେବାଶ୍ରମ ଏବଂ ହଷ୍ଟେଲ ପରିଦର୍ଶନ କରି ସେଠାକାର ପରିମଳ ବ୍ୟବସ୍ଥା ଓ DMF ଅନୁଦାନରେ ପ୍ରଦାନ କରାଯାଉଥିବା ଖାଦ୍ୟ ଯୋଜନାର ପ୍ରଶଂସା କରିଛନ୍ତି। ସଚିବ ଆଲୁମିନିୟମ ପାର୍କ ପରିଦର୍ଶନ କରି ‘M/S Dhatu Fabex Pvt. Ltd’ର ଉତ୍ପାଦନ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। କୁଲାଡ଼ଠାରେ ନୂତନ ଭାବେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ପରିଦର୍ଶନ କରି ଖେଳପଡ଼ିଆର ଉନ୍ନତିକରଣ ପାଇଁ ସେ ପରାମର୍ଶ ଦେଇଛନ୍ତି। ସେହିପରି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ର କାର୍ଯ୍ୟ ଶୀଘ୍ରଶେଷ କରି ମେଡିକାଲ ଅଫିସରଙ୍କୁ ସେଠାରେ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୁରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଭ୍ରମଣ କରି ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କ ସହ ସଚିବ ଆଲୋଚନା କରିଥିଲେ। ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ହିଡସିଂହ ଏବଂ ମାଙ୍କଡ଼ା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବା ସହ ଜିଲ୍ଲାର ଜଳକିଷ୍ଟ ଅଞ୍ଚଳରେ ତୁରନ୍ତ ଭୂତଳ ଜଳ ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବଅଁରପାଳସ୍ଥିତ ଅନ୍ୱେଷା ହଷ୍ଟେଲରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ଉପସ୍ଥିତ ଟିପିସିଓଡିଏଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟଗୁଡିକୁ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମଦନ ମୋହନ ପ୍ରଧାନ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀପ୍ରମୁଖ ଉପସ୍ଥିତ ଥିଲେ।