April 25, 2026

ଘର ଭିତରୁ ଶିକ୍ଷୟିତ୍ରୀଙ୍କ ମୃତ ଦେହ ଉଦ୍ଧାର। ହତ୍ୟା ଅଭିଯୋଗ।

IMG-20260422-WA0028
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ ଅନ୍ତର୍ଗତ ଲଡ଼ୁଗାଁ ରେ ଏକ ଭଡାଘରୁ ଜଣେ ଶିକ୍ଷୟିତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏନେଇ ମୃତା ଶିକ୍ଷୟିତ୍ରୀ ଙ୍କ ବାପା କୋକସରା ଥାନାରେ ତାଙ୍କ ଜ୍ୱାଇଁ ବିରୁଦ୍ଧରେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ପ୍ରାୟ ପାଞ୍ଚ ବର୍ଷ ତଳେ, ଲଡ଼ୁଗାଁ ନିବାସୀ ଶ୍ରୀ ସୁରଞ୍ଜନ ଦାସଙ୍କ ଝିଅ ସୁପ୍ରିତି ଦାସ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଗ୍ରାମର ପ୍ରଭାସ କୁମାର ଦାସ ନାମକ ଯୁବକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲିଥିବାବେଳେ, ଗତ କିଛି ମାସ ହେଲା ଅଭିଯୁକ୍ତ ପ୍ରଭାସ କୌଣସି କାରଣରୁ ପ୍ରତିଦିନ ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ସୁପ୍ରିତିଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ବରାବର ମାଡ଼ପିଟ କରୁଥିବା ନେଇ ସୁପ୍ରିତିଙ୍କ ବାପା କେତେଥର ଖବର ଶୁଣିବା ପରେ, ବାଧ୍ୟ ହୋଇ ପରିସ୍ଥିତି ସୁଧୁରିବା ଆଶାରେ ପ୍ରାୟ ଦଶ ପନ୍ଦର ଦିନ ପୂର୍ବେ ଝିଅ ଓ ଜ୍ୱାଇଂଙ୍କୁ ଲଡ଼ୁଗାଁ ଆଣି ଏକ ଘର ଭଡା କରି ଦୁହିଁଙ୍କୁ ରଖିଥିଲେ। ଏଥିମଧ୍ୟରେ ସୁପ୍ରିତି ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରେ ଯୋଗ ଦେଲେ। ସବୁଦିନ ପରି ଗତକାଲି ମଧ୍ୟ ସୁପ୍ରିତି ସ୍ୱାଭାବିକ ଭାବରେ ସକାଳୁ ବିଦ୍ୟାଳୟକୁ ଯାଇ ଘରକୁ ଫେରିଥିଲେ। କିନ୍ତୁ ହଠାତ ଦିବା ପ୍ରାୟ ଏଗାରଟା ସମୟରେ ଅଭିଯୁକ୍ତ ପ୍ରଭାସ ନିଜ ଶାଶୁଙ୍କୁ ଫୋନ ଯୋଗେ ସୁପ୍ରିତି ବେକରେ ଓଢଣୀ ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛି ବୋଲି ଖବର ଦେଇଥିଲେ। ଏହି ଖବର ପାଇବା ପରେ ସୁପ୍ରିତିଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ସୁପ୍ରିତିଙ୍କ ମୃତ ଦେହ ତଳେ ପଡିଥିବାବେଳେ, ସ୍ୱମୀ ପ୍ରଭାସ ମୃତ ଦେହ ପାଖରେ ବସିଥିବା ଦେଖିବାକୁ ପାଇଥିଲେ। ସୁପ୍ରିତିଙ୍କ ପରିବାର ବର୍ଗଙ୍କୁ ଏହି ଘଟଣାଟି ସମ୍ପୂର୍ଣ ସନ୍ଦେହଜନକ ହେବାରୁ, ସୁପ୍ରିତିଙ୍କ ବାପା କୋକସରା ଥାନାରେ ଜ୍ୱାଇଁ ପ୍ରଭାସ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଲିଖିତ ଭାବରେ ଏତାଲା ଦେଇଥିଲେ। ଏତାଲାଟି ଗ୍ରହଣ କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ପ୍ରଭାସଙ୍କୁ ଗିରଫ କରିଥିଲା। ଏହାପରେ ଶବ ଜବତ କରି ଶବକୁ ବ୍ୟବଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୋଲିସ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ, ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାସଙ୍କୁ ଥାନାରେ ଜେରା ଚାଲିଥିବାବେଳେ, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ଅଧିକ ଯାଞ୍ଚ ଆରମ୍ଭ କରିଦେଇଛି।