June 18, 2026

ସମସ୍ୟାରେ ଥିବା ନଦୀ ବ୍ରିଜ୍ ଓ ନାଳ ଅଞ୍ଚଳ ପରିଦର୍ଶନ କଲେ ପାରଳା ବିଧାୟକ..

IMG-20260220-WA0004
Share

 

ଗଜପତି(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହେନ୍ଦ୍ରତନୟା ନଦୀ ବ୍ରିଜ୍ ଓ ନାଳ ଅଞ୍ଚଳ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ। ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ସହରକୁ ଲାଗି ଥିବା ସୀମାନ୍ତ ପର୍ଯ୍ୟନ୍ତ ଯାଇ ନାଳ ପରିଦର୍ଶନ କରିଥିଲେ।ଏହି ନାଳରେ ସହରର ସମସ୍ତ ବ୍ୟବହୃତ ପାଣି ପ୍ରବାହିତ ହେଉଥିବା ବେଳେ ସୀମାନ୍ତରେ ଜମାଟ ବାନ୍ଧି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।ଏହା ସହ ସୀମାନ୍ତର ଉଭୟ ପଟରେ ଥିବା ଚାଷ ଜମିରେ ଏହି ଆବର୍ଜନାମୟ ପାଣି ପଶି ନଷ୍ଟ ହେଉଛି।ତେଣୁ ଏହାର ସଠିକ୍ ଯୋଜନା କରାଯାଇ ଆବର୍ଜନା ଗୁଡିକୁ ନଷ୍ଟ କରିବା ଏବଂ ସ୍ବଚ୍ଛ ପାଣିକୁ ଆନ୍ଧ୍ର ପଟକୁ ଛାଡିବା ପାଇଁ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ।ପ୍ରକାଶ ଯେ ଏପରି ଦୂଷିତ ଜଳ ଆନ୍ଧ୍ର ସୀମାନ୍ତରେ ପଶୁଥିବା ଯୋଗୁଁ ଆନ୍ଧ୍ର ତାର ସ୍ଥାନରେ ବାଟ ଓଗାଳି ବନ୍ଦ କରିଦେଇଛି।ଫଳରେ ସହରର ଆବର୍ଜନା ପାଣି ସଠିକ୍ ଭାବେ ନିଷ୍କାସିତ ହୋଇ ପାରୁନାହିଁ। ସେହିପରି ବିଧାୟକ ସହରର ମହେନ୍ଦ୍ରତନୟା ନଦୀରେ ଏକ ନାଳ ମିଶାଯାଉଥିବା ସ୍ଥାନକୁ ପରିଦର୍ଶନ କରିଥିଲେ।ଏହି ନାଳଟି ପୁରୁଣାପାଟଣା ରାସ୍ତା ତଟ ଦେଇ ମହେନ୍ଦ୍ରତନୟା ନଦୀରେ ମିଶ୍ରଣ ହେବ।ଫଳରେ ଆବର୍ଜନା ପୂର୍ଣ୍ଣ ପାଣି ନଦୀ ଗର୍ଭରେ ପଶି ନଦୀର ଜଳରାଶିକୁ ଦୂଷିକ କରିବା ସମ୍ଭାବନା ଦେଖା ଯାଇଛି।ଏହି ଖବର ପାଇ ବିଧାୟକ ସେହି ସ୍ଥାନକୁ ଯାଇ ପରିଦର୍ଶନ କରିଥିଲେ।ଯେପରି ନାଳପାଣି ନଦୀରେ ନ ମିଶିବ ଏବଂ ଏହାକୁ ଲାଗିଥିବା ବ୍ରିଜର ସୁରକ୍ଷା ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ।ଏହା ପରେ ବିଧାୟକ ମହେନ୍ଦ୍ରତନୟା ବ୍ରିଜ୍ ଭାଙ୍ଗିଥିବା ସ୍ଥାନ ପରିଦର୍ଶନ କରିଥିଲେ।ବ୍ରିଜର କେତେକ ସ୍ଥାନରେ ସିମେଣ୍ଟ କଂକ୍ରିଟ ଛାଡି ଯାଇଥିବା ବେଳେ ଏହାର ଲୁହାଛଡ ଦିଶୁଛି।ଏହି ଲୁହା ଛଡ ବାଜିବା ଯୋଗୁଁ ଯାତାୟତ କରୁଥିବା ଗାଡି ମୋଟର କ୍ଷତିଗ୍ରସ୍ତ ହେଉଥିବା ବେଳେ ପଥଚାରୀଙ୍କୁ ବାଜି ଆଘାତପ୍ରାପ୍ତ ହେଉଛନ୍ତି।ତୁରନ୍ତ ଏହାକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ।ବିଧାୟକଙ୍କ ଏହି ଗସ୍ତ ବେଳେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀ,ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ,ପୌର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଙ୍କ ସମେତ ପୌର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

You may have missed