ସାଂସଦ ସୁଜିତ କୁମାରଙ୍କ ଉଦ୍ୟମରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

ଲାଞ୍ଜିଗଡ଼,୧୨/୨(ପୁରନ୍ଦର ଦଣ୍ଡସେନା)
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ବାହାର ଜଗତରୁ ପ୍ରାୟ ବିଛିନ୍ନ ଥିଲା। ଗ୍ରାମରେ ନଥିଲା ପକ୍କା ରାସ୍ତା, ପାନୀୟ ଜଳ କିମ୍ବା ବିଦ୍ୟୁତ୍ ସୁବିଧା। ଏହି ପରିସ୍ଥିତିରେ ଶିକ୍ଷା ଗ୍ରାମର ଆଦିବାସୀ ପିଲାମାନଙ୍କ ପାଇଁ ସ୍ୱପ୍ନ ସଦୃଶ ଥିଲା। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଦୃଷ୍ଟି ଏହି ଗ୍ରାମ ଉପରେ ପଡ଼ିବା ପରେ ବ୍ଲକ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା। କିନ୍ତୁ ଝିଅମାନଙ୍କ ପାଇଁ ଶିକ୍ଷା ଏବେ ମଧ୍ୟ ଅପହଞ୍ଚ ଥିଲା। ୨୦୨୨ ମସିହା ପର୍ଯ୍ୟନ୍ତ ଗ୍ରାମର କୌଣସି ଝିଅ ସ୍କୁଲରେ ଭର୍ତ୍ତି ହୋଇନଥିଲେ। ସାଂସଦ ଶ୍ରୀ କୁମାର ଓ ବ୍ଲକ ପ୍ରଶାସନଙ୍କ ଉଦ୍ୟମରେ ୨୦୨୨ ମସିହାରେ ଗ୍ରାମର ୪ ଜଣ ଆଦିବାସୀ ଝିଅ ପଦ୍ମା ମାଝୀ, ଦଇମତି ମାଝୀ, ଗୀତା ମାଝୀ ଓ ଜନତି ମାଝୀଙ୍କୁ ଭଟାଙ୍ଗପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ଭଟାଙ୍ଗପଦର ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟ ସାଂସଦଙ୍କ ପୋଷ୍ୟ ଗ୍ରାମ ଓ ପୋଷ୍ୟ ବିଦ୍ୟାଳୟ ଅଟେ। ସାଂସଦ ଶ୍ରୀ କୁମାର ଏହି ଝିଅମାନଙ୍କ ସମସ୍ତ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚ ବହନ କରିବା ସହ ତାଙ୍କର ଆବଶ୍ୟକ ସମସ୍ତ ବ୍ୟବସ୍ଥା ନିଜେ ନିରୀକ୍ଷଣ କରୁଛନ୍ତି। ଏପରିକି ସାଂସଦଙ୍କ ଉଦ୍ୟମରେ ଏହି ଝିଅମାନେ ନିକଟରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ । ସେମାନେ ସଂସଦ ଭବନ ମଧ୍ୟ ପରିଦର୍ଶନ କରିଥିଲେ। ଏହି ସୁଯୋଗ ସେମାନଙ୍କ ପାଇଁ ଜୀବନରେ ଏକ ସ୍ମରଣୀୟ ଅନୁଭବ ହୋଇ ରହିବ।ମହାମହିମ ରାଷ୍ଟ୍ରପତି ସାଂସଦଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ଏହା ରାଜ୍ୟ ଓ ଦେଶର ଲକ୍ଷାଧିକ ଆଦିବାସୀ ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ। ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ କୁମାର କହିଛନ୍ତି ଯେ, ଏହି ୪ ଜଣ ଝିଅଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ। ସେହିପରି କଳାହାଣ୍ଡି ସହ ରାଜ୍ୟର ଅନ୍ୟାନ୍ୟ ଝିଅମାନେ କିପରି ଶିକ୍ଷା ଗ୍ରହଣ କରି ରୋଜଗାରକ୍ଷମ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ, ସେ ଦିଗରେ ମଧ୍ୟ ତାଙ୍କ ପ୍ରୟାସ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*
