୮ମ ବେତନ କମିଶନ: ପିଅନଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ;କାହାର ବଢ଼ିବ କେତେ ଦରମା?
ଅଷ୍ଟମ ବେତନ କମିଶନକୁ ନେଇ ଅପେକ୍ଷାରତ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ
ଫେବୃଆରୀ ୨୫ ତାରିଖରେ ନିର୍ଣ୍ଣାୟକ ବୈଠକ ପରେ ନିଆଯିବ ନିଷ୍ପତ୍ତି
ଫିଟମେଣ୍ଟ ଫ୍ୟାକ୍ଟର ୩ ରୁ ୩.୫ ମଧ୍ୟରେ ସ୍ଥିର କରାଯାଉ ବୋଲି ଦାବି କରୁଛନ୍ତି ସରକାରୀ କର୍ମଚାରୀ
ନୂଆଦିଲ୍ଲୀ,୨୪/୦୧:ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ବର୍ତ୍ତମାନ ଗୋଟିଏ ଖବର ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ତାହା ହେଉଛି ୮ମ ବେତନ କମିଶନ। ନଭେମ୍ବରରେ ଏହାର ଗଠନର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସରକାରୀ ବିଭାଗଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। କମିଶନକୁ ଏହାର ରିପୋର୍ଟ ଦାଖଲ କରିବା ପାଇଁ ୧୮ ମାସ ସମୟ ଦିଆଯାଇଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନୂଆ ବେତନ କମିଶନ ୨୦୨୭ ଶେଷ କିମ୍ବା ୨୦୨୮ ପ୍ରାରମ୍ଭରେ କାର୍ଯ୍ୟକାରୀ ହୋଇପାରେ।
କିନ୍ତୁ ସମସ୍ତଙ୍କ ମଧ୍ୟରେ ସବୁଠାରୁ ବଡ଼ ବିତର୍କ ହେଉଛି “ଫିଟମେଣ୍ଟ ଫ୍ୟାକ୍ଟର”। ଏହା ହେଉଛି ସେହି ସଂଖ୍ୟା ଯାହା ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହେବ ତାହା ନିର୍ଣ୍ଣୟ କରେ। ସମ୍ପ୍ରତି, ଫେଡେରେସନ ଅଫ୍ ନ୍ୟାସନାଲ୍ ପୋଷ୍ଟାଲ୍ ଅର୍ଗାନାଇଜେସନ୍ସ (FNPO) ସରକାରଙ୍କୁ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି, ଯାହା ଏହି ବିତର୍କକୁ ଆହୁରି ତ୍ୱରାନ୍ୱିତ କରିଛି। ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨ କିମ୍ବା ୩ ହୁଏ, ତେବେ ଜଣେ ପିଅନଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମାରେ କ’ଣ ପରିବର୍ତ୍ତନ ଆସିବ ଆାସନ୍ତୁ ବୁଝିବା।
ଫିଟମେଣ୍ଟ ଫ୍ୟାକ୍ଟରରୁ ନିର୍ଣ୍ଣୟ ହୁଏ ଦରମା:
ସରକାରୀ କର୍ମଚାରୀଙ୍କ ଦରମା ନିର୍ଣ୍ଣୟ କରିବାରେ ଫିଟମେଣ୍ଟ ଫ୍ୟାକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଏମିତି ଏକ ଗୁଣନ ଯାହା ଆପଣଙ୍କ ମୂଳ ଦରମା ବା ବେସିକ ସାଲାରୀକୁ ମଲଡିପ୍ଳାଏ କରେ। ସପ୍ତମ ବେତନ କମିଶନ ସମୟରେ, ଏହି ଫ୍ୟାକ୍ଟର ୨.୫୭ ଥିଲା, ଯାହା ମୂଳ ଦରମା ବା ବେସିକ୍ ସାଲାରି ୭,୪୪୦ ରୁ ୧୮,୦୦୦ କୁ ବୃଦ୍ଧି କରିଥିଲା। ବର୍ତ୍ତମାନ, ଜାତୀୟ ପରିଷଦକୁ ଏକ ଚିଠି ଲେଖି, ଡାକ କର୍ମଚାରୀ ସଂଘ, FNPO, ଦାବି କରିଛି ଯେ ଗ୍ରୁପ ଏ, ବି, ସି ଏବଂ ଡି ରେ କର୍ମଚାରୀମାନଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର ୩ ରୁ ୩.୫ ମଧ୍ୟରେ ସ୍ଥିର କରାଯାଉ। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏକ ସମ୍ମାନଜନକ ଦରମା ବୃଦ୍ଧିର ଆବଶ୍ୟକତା ରହିଛି। ତଥାପି, ଏହା ମଧ୍ୟ ଆଲୋଚନା ହେଉଛି ଯେ ସରକାର ଏହାକୁ ୨ ରେ ସୀମିତ ରଖିପାରନ୍ତି। ଏହି ଦୁଇଟି ପରିସ୍ଥିତି ମଧ୍ୟରେ ଏକ ଆକାଶ-ପାତାଳ ପାର୍ଥକ୍ୟ ଅଛି।
ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨ ରୁହେ,ତେବେ କେତେ ବଢ଼ିବ ଦରମା?
ଧରାଯାଉ ସରକାର ଟିକେ କଠୋର ଆଭିମୁଖ୍ୟ ଗ୍ରହଣ କରି ଫିଟମେଣ୍ଟ ଫ୍ୟାକ୍ଟରକୁ ୨ ରେ ସ୍ଥିର ରଖୁଛନ୍ତି। ନେକ୍ସଡିଜିମ୍ ସଲ୍ୟୁସନ୍ସ ର ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ମୌଳିକ ଦରମା ବା ବେସିକ ସାଲାରି ଉପରେ ସିଧାସଳଖ ପ୍ରଭାବ ପକାଇବ। ଲେବଲ-୧ କର୍ମଚାରୀ (ଯେପରିକି ପିଅନ କିମ୍ବା ପ୍ରବେଶ-ସ୍ତରୀୟ କର୍ମଚାରୀ), ଯାହାଙ୍କ ବର୍ତ୍ତମାନର ଆନୁମାନିକ ମୌଳିକ ଦରମା ୧୮,୦୦୦ ରହିଛି, ସେମାନଙ୍କ କ୍ଷେତ୍ରରେ ଫ୍ୟାକ୍ଟର ୨ ଲାଗୁ ହେଲେ, ତାଙ୍କ ନୂତନ ମୌଳିକ ଦରମା ୧୮,୦୦୦ ରୁ ସିଧାସଳଖ ୩୬,୦୦୦ କୁ ବୃଦ୍ଧି କରିବ। ଟିକିଏ ଉପରକୁ ଉଠିଲେ, ଲେବଲ-୧୦ ଅଧିକାରୀଙ୍କ ପାଇଁ ଫ୍ୟାକ୍ଟର ୨ ଲାଗୁ ହେଲେ ସେମାନଙ୍କର ଦରମା ୫୬,୧୦୦ ରୁ ୧,୧୨,୨୦୦ କୁ ବୃଦ୍ଧି ହେବ। ଶୀର୍ଷ ସ୍ତରରେ, ଲେବଲ ୧୮ (କ୍ୟାବିନେଟ୍ ସଚିବ ସ୍ତର)ରେ ଏହି ବୃଦ୍ଧି ୨.୫ ଲକ୍ଷ ହୋଇ ୫ ଲକ୍ଷ ରେ ପହଞ୍ଚିବ। ଏହାର ଅର୍ଥ ହେଉଛି ଯେ ଫ୍ୟାକ୍ଟର ୨ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦରମା ବୃଦ୍ଧି କରିବ, କିନ୍ତୁ କର୍ମଚାରୀମାନେ ଅଧିକ ଆଶା କରୁଛନ୍ତି।
ଫେବୃଆରୀ ୨୫ ରେ ବସିବ ନିର୍ଣ୍ଣାୟକ ବୈଠକ:
ସମସ୍ତଙ୍କ ନଜର ଏବେ ଫେବୃଆରୀ ୨୫ ଉପରେ ରହିଛି। FNPO ସଦସ୍ୟ ଶିବାଜୀ ଭାସିରେଡ୍ଡିଙ୍କ ଅନୁଯାୟୀ, ସେହି ଦିନ ଜାତୀୟ ପରିଷଦ ଯୁଗ୍ମ ମନିଟରିଂ କମିଟି (NCJMC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ସମସ୍ତ କର୍ମଚାରୀଙ୍କ ଦାବିକୁ ଏକାଠି କରିବା ଏବଂ ଏକ ଚୂଡ଼ାନ୍ତ ଖସଡ଼ା ପ୍ରସ୍ତୁତ କରିବା। ବୈଠକ ପରେ, ଖସଡ଼ାକୁ ୮ମ ବେତନ କମିଶନର ଅଧ୍ୟକ୍ଷା ରଞ୍ଜନା ପ୍ରକାଶ ଦେଶାଇଙ୍କ ନିକଟକୁ ପଠାଯିବ। ଏହି ବୈଠକ ମୁଖ୍ୟତଃ କର୍ମଚାରୀଙ୍କ ଦାବିଗୁଡ଼ିକୁ କମିଶନଙ୍କ ନିକଟରେ କେତେ ପରିମାଣରେ ଉପସ୍ଥାପନ କରାଯିବ ତାହା ନିର୍ଣ୍ଣୟ କରିବ।
