ଜୟନ୍ତପୁର ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଶିକ୍ଷା ସହିତ ପ୍ରତିଭା ପୂଜା ଓ ପ୍ରତିଭା ଅନ୍ୱେଷଣ ହିଁ ବିଦ୍ୟାଳୟର ମହତ୍ତ୍ୱ ବଢ଼ାଇଥାଏ

ସମ୍ବଲପୁର,୨୪. ୦୧(): ଶିକ୍ଷା ଦାନ ସ୍କୁଲର ଦାୟିତ୍ୱ। ଅଧ୍ୟୟନ ଜରୁରୀ କିନ୍ତୁ ଶିକ୍ଷା ସହିତ ପ୍ରତିଭା ପୂଜା ଓ ପ୍ରତିଭା ଅନ୍ୱେଷଣ ହିଁ ବିଦ୍ୟାଳୟର ମହତ୍ତ୍ୱ ବଢ଼ାଇଥାଏ ବୋଲି ଆଜି ଜୁଯୋମୁରା ବ୍ଲକ ର ଜୟନ୍ତପୁର ଠାରେ ଥିବା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ବକ୍ତା ମାନେ ଗୁରୁତ୍ୱ ଦେଇଛନ୍ତି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଜୟପୁରିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କବରାପାଲି ୟୁଜିଏମଇ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଲୀଳାବତୀ ଷଡ଼ଙ୍ଗୀ ମୁଖ୍ୟଅତିଥି, କରପାଲି ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ବେହେରା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର କାଳିଚରଣ ପାଣିଗ୍ରାହୀ,ଜୟନ୍ତପୁର ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀରୁପା ନାୟକ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବାହାମ ସିଆରସିସି ଶ୍ୟାମ ବାଗ, କବରାପାଲି ସିଆରସିସି ବାବୁଲା ବାଗ, ସ୍କୁଲ କମିଟି ସଭାପତି ଧରଣୀ ଷଣ୍ଢ, ସନାତନପାଲି ସେବାଶ୍ରମର ଅଶୋକ କୁମାର ଶତପଥୀ ଓ ଭୋଇପାଲି ସେବାଶ୍ରମର ନବୀନଚନ୍ଦ୍ର କିଶାନ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ମା ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯାଇ ଉତ୍ସବ ଆରମ୍ଭ ହୋଇଥିଲା।ବରିଷ୍ଠ ଶିକ୍ଷୟତ୍ରୀ ମୀରା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀମତୀ କଲ୍ୟାଣୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ୧୯୪୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ସ୍କୁଲ ପାଇଁ ୧ ଏକର ୧୬ ଡିସମିଲ ଜମି ଦାନ କରିଥିବା ସ୍ୱର୍ଗତ ଜନ୍ମଜୟ ଗୁରୁଙ୍କ ପରିବାର ମୁଖ୍ୟଙ୍କୁ ସମ୍ବର୍ଦ୍ଧିତ କରି ପ୍ରତିଭା ପୂଜା ହିଁ ଗୋଟିଏ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ବୋଲି ଏକ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସ୍କୁଲ ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ମଧ୍ୟାହ୍ନରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ସ୍କୁଲ ର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ।
