ଗଜପତି:- ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ , ଏବଂ ସେହି ଭବିଷ୍ୟତ’କୁ ସୁସ୍ଥ ଓ ସଚେତନ ରଖିବାର ଦୃଢ଼ ସଙ୍କଳ୍ପ’କୁ ଆଗେଇ ନେଇ ଜାତୀୟ ଯୁବ ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ମାନବିକ ଓ ସେବାମୂଳକ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମ୍ମାନିତ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ସଭାପତିତ୍ୱ କରିଥିଲେ। ସେ ତାଙ୍କ ଅନୁପ୍ରେରଣା ଦାୟକ ଭାଷଣରେ କହିଥିଲେ ଯେ , “ସୁସ୍ଥ ଯୁବପିଢ଼ି ବିନା ସୁଦୃଢ଼ ଜାତି ଗଠନ ସମ୍ଭବ ନୁହେଁ ,” ଏବଂ ସ୍ୱାସ୍ଥ୍ୟ ସଚେତନତା’କୁ ଜୀବନର ଅଭିନ୍ନ ଅଂଶ କରିବାକୁ ଆହ୍ୱାନ ଜଣାଇଥିଲେ।
ସ୍ୱାସ୍ଥ୍ୟ ଶିବିରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ନର୍ସିଙ୍ଗ’ର ପ୍ରଶିକ୍ଷିତ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବ୍ଲଡ୍ ପ୍ରେସର- ବି:ପି:(ରକ୍ତଚାପ) ଓ ବଡି ମାସ୍ ଇଣ୍ଡେକ୍ସ (ବି.ଏମ୍.ଆଇ.) ପରୀକ୍ଷା କରା ଯାଇଥିଲା। ଯୁବମାନେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହୋଇ ଆଗାମୀ ଜୀବନ ପାଇଁ ମୂଲ୍ୟବାନ ପରାମର୍ଶ ଲାଭ କରିଥିଲେ।
ଏହି ସେବାମୂଳକ କାର୍ଯ୍ୟକ୍ରମ’ର ସଫଳ ସଂଯୋଜନା କରିଥିଲେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ଜିଲ୍ଲା ଯୁବ ରେଡକ୍ରସ କନଭେନର-ସେକ୍ରେଟାରୀ ଡ଼: ବିପ୍ଳବ ରଞ୍ଜନ ପ୍ରଧାନ। ତାଙ୍କ ନେତୃତ୍ୱରେ ପ୍ରାୟ ୧୭୦ ଜଣ ଛାତ୍ରଛାତ୍ରୀ ଏହି ମାଗଣା ସ୍ୱାସ୍ଥ୍ୟ ସେବାର ସର୍ବାଧିକ ଲାଭ ଉଠାଇଥିଲେ , ଯାହା ଯୁବ ରେଡକ୍ରସର ସେବା , ସମର୍ପଣ ଓ ସାମାଜିକ ଦାୟିତ୍ୱ-ବୋଧକୁ ପ୍ରତିବିମ୍ବିତ କରେ ।
କାର୍ଯ୍ୟକ୍ରମର ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ନିବେଦିତା ସାସମଲ ହୃଦୟସ୍ପର୍ଶୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ତଥା କ୍ୟାରିୟର କାଉନ୍ସିଲ ସେଲର ସଂଯୋଜକ ଡକ୍ଟର ପ୍ରିୟବ୍ରତ ଶତପଥୀ , ଯୁବ ରେଡକ୍ରସ କାଉନସିଲ ସଦସ୍ୟ ଡ଼: ମାନସୀ ସାହୁକାର , ଉର୍ମିଳା ବଡମୁଣ୍ଡି , ଅଜୟ ରଇତ ଓ ପଇତ ଶବର’ ଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଏକ ସ୍ମରଣୀୟ ସଫଳତାରେ ପରିଣତ ହୋଇଥିଲା।
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ସକ୍ରିୟ ଉପସ୍ଥିତି ଓ ସାର୍ଥକ ସହଯୋଗ ଏହି ମାନବିକ ସେବା କାର୍ଯ୍ୟକୁ ଏକ ଆଦର୍ଶ ଉଦାହରଣ ଭାବେ ପ୍ରତିଷ୍ଠିତ କରିପାରିଛି।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————
