April 25, 2026

ଗଜପତି:- ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟ’ର ୬୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦ୍‌ଘାଟିତ

IMG-20260109-WA0037
Share

 

ପାରଳାଖେମୁଣ୍ଡି:- ଗଜପତି ଜିଲ୍ଲାର ଶିକ୍ଷା ଓ କ୍ରୀଡା ଇତିହାସରେ ଆଉ ଏକ ଗର୍ବ’ର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଗ କରି , ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଧରି କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ-୨୦୨୫-୨୦୨୬ କଲେଜ ଆଥଲେଟିକ ମିଟ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଭବ୍ୟ, ଶୃଙ୍ଖଳିତ ଓ ଉତ୍ସବମୟ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଦୁଇଦିନିଆ କ୍ରୀଡା ମହୋତ୍ସବ ୮ ଓ ୯ ଜାନୁଆରୀ ୨୦୨୬ ଧରି ଆୟୋଜିତ ହେଉଅଛି।

ପ୍ରାତଃ ସମୟରେ କ୍ରୀଡା ପରିଷଦର ଉପସଭାପତି ଡ଼ଃ ସୁମନ୍ତ କୁମାର ବେହେରା’ଙ୍କ ତତ୍ତ୍ୱାବଧାନରେ କ୍ରୀଡା-ପ୍ରେମୀ ଛାତ୍ରଛାତ୍ରୀ ମାନେ ଏହି ଅବସରରେ “ମା ନୀଳମଣି ଦୁର୍ଗା ଠାକୁରାଣୀ”ଙ୍କ ମନ୍ଦିର’ରୁ ମହାବିଦ୍ୟାଳୟ ଖେଳ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ କ୍ରୀଡା-ଜ୍ୟୋତି କୁ ଆଣିଥିଲେ। ଧାର୍ମିକ ଆସ୍ଥା ଓ କ୍ରୀଡା-ଚେତନାର ସମନ୍ୱୟରେ ଏହି ଶୋଭାଯାତ୍ରା ସମଗ୍ର ପରିବେଶକୁ ଉତ୍ସାହ ମୁଖର କରି ଦେଇଥିଲା।

ସକାଳ ୮ଟା’ରୁ ଆରମ୍ଭ ହୋଇଥିବା ଉଦ୍‌ଘାଟନୀ ସମାରୋହରେ ପ୍ରଥମେ କଲେଜର ଐତିହ୍ୟ ଓ ପରମ୍ପରାକୁ ସ୍ମରଣ କରି ମହାରାଜା’ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରା ଯାଇଥିଲା। ପରେ ଆମନ୍ତ୍ରିତ ଅତିଥିମାନଙ୍କ ଭବ୍ୟ ଆଗମନ ସହ ପ୍ରଦୀପ ପ୍ରଜ୍ୱଳନ ଓ ଭଗବାନ’ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ସମାରୋହକୁ ଆଧ୍ୟାତ୍ମିକ ମର୍ଯ୍ୟାଦା ଦିଆ ଯାଇଥିଲା ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ କରାଯିବା ପରେ ବିଭିନ୍ନ ହାଉସର ଖେଳାଳି ମାନଙ୍କ ଶୃଙ୍ଖଳିତ , ଉତ୍ସାହଭରା ଓ ଶାନ୍ତିମୟ ମାର୍ଚ୍ଚ ପାଷ୍ଟ ସମସ୍ତ ଉପସ୍ଥିତ’ଙ୍କ ମନକୁ ମୋହିତ କରିଥିଲା। ଏହି ଦୃଶ୍ୟ କ୍ରୀଡାରେ ଶିଷ୍ଟାଚାର , ଶୃଙ୍ଖଳା ଓ ଦଳୀୟ ସମନ୍ୱୟ’ର ଜୀବନ୍ତ ଦୃଷ୍ଟାନ୍ତ ରୂପେ ପ୍ରତିଫଳିତ ହୋଇଥିଲା।

ସମାରୋହରେ ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ଥିବା ବେଳେ , ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତର୍ଜାତୀୟ ଏଥଲେଟ ଶ୍ରୀ କିଶୋର ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜ ଅନୁଭବ ଭାଗକରି ଯୁବ ଖେଳାଳି ମାନଙ୍କୁ ପ୍ରେରଣା ଦେଇଥିଲେ।

ସମାରୋହର ସ୍ୱାଗତ ଭାଷଣ କ୍ରୀଡା ପରିଷଦର ଉପସଭାପତି ଡକ୍ଟର ସୁମନ୍ତ କୁମାର ବେହେରା ପ୍ରଦାନ କରି କଲେଜର ଗର୍ବଜନକ କ୍ରୀଡା ପରମ୍ପରା , ଛାତ୍ରଛାତ୍ରୀ’ଙ୍କ ସଫଳତା ଓ କ୍ରୀଡାର ଶିକ୍ଷାମୂଳକ ମୂଲ୍ୟ ଉପରେ ସୁସ୍ପଷ୍ଟ ଆଲୋକପାତ କରିଥିଲେ। ସଭାପତି ଓ ମୁଖ୍ୟ ଅତିଥି ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ , କ୍ରୀଡା ଛାତ୍ରଜୀବନକୁ କେବଳ ଶାରୀରିକ ଭାବେ ନୁହେଁ, ମାନସିକ , ନୈତିକ ଓ ସାମାଜିକ ଭାବେ ମଧ୍ୟ ସୁଦୃଢ଼ କରେ। ଶୃଙ୍ଖଳା, ନିଷ୍ଠା , ସହଭାବନା ଓ କ୍ରୀଡାସ୍ପୃହା ହେଉଛି ସଫଳ ଜୀବନର ମୂଳମନ୍ତ୍ର ବୋଲି ସେମାନେ ଉଲ୍ଲେଖ କରିଥିଲେ।

ଏହା ପରେ ବିଭିନ୍ନ ହାଉସର କ୍ୟାପଟେନ ମାନେ ନିଜ ନିଜ ପତାକା ସହ ଶପଥ ଗ୍ରହଣ କରି ସତ୍ୟନିଷ୍ଠା , ସମାନତା ଓ କ୍ରୀଡାସ୍ପୃହାର ମୂଲ୍ୟବୋଧକୁ ଅଟୁଟ ରଖି ପ୍ରତିଯୋଗିତା କରିବାକୁ ପ୍ରତିଜ୍ଞା-ବଦ୍ଧ ହୋଇଥିଲେ।

ପରେ ମୁଖ୍ୟ ଅତିଥି ଔପଚାରିକ ଭାବେ “୬୧ତମ ବାର୍ଷିକ କଲେଜ ଆଥଲେଟିକ୍ ମିଟ୍–୨୦୨୫–୨୬” ଉଦ୍‌ଘାଟିତ ବୋଲି ଘୋଷଣା କରିଥିଲେ।

ଉଚ୍ଚ ମାଧ୍ୟମିକ କ୍ରୀଡା ପରିଷଦର ଉପସଭାପତି ପ୍ରଫେସର ପି. ନୀରଜା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି , ଅଧ୍ୟାପକ , କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ନିରଞ୍ଜନ ବେହେରା ସମଗ୍ର କ୍ରୀଡା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସମାରୋହର ସମଗ୍ର ସଂଯୋଜନା ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ବିପ୍ଳବ ରଞ୍ଜନ ପ୍ରଧାନ କରିଥିଲେ।

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଏହି ମହତ୍ତ୍ୱପୂର୍ଣ୍ଣ କ୍ରୀଡା ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।

ପ୍ରଥମ ଦିନର କ୍ରୀଡା ପ୍ରତିଯୋଗିତାରେ ୧୫୦୦ ମିଟର , ୧୦୦ ମିଟର , ୨୦୦ ଓ ୪୦୦ ମିଟର ଦୌଡ଼ , ଲଙ୍ଗ୍ ଜମ୍ପ , ହାଇଜମ୍ପ , ସଟ୍ ପୁଟ୍ ଓ ଡିସ୍କସ୍ ଥ୍ରୋ ଭଳି ବିଭିନ୍ନ ଇଭେଣ୍ଟରେ ପୁରୁଷ ଓ ମହିଳା , ବାଳକ ଓ ବାଳିକା ଖେଳାଳି ମାନେ ଅପାର ଉତ୍ସାହ , ଆତ୍ମବିଶ୍ୱାସ ଓ କ୍ରୀଡାସ୍ପୃହା ସହ ଅଂଶଗ୍ରହଣ କରିଥିଲେ। ସମଗ୍ର କଲେଜ ପରିସର ଦିନଭରି ଉଲ୍ଲାସ , ଉତ୍ସାହ ଓ କ୍ରୀଡା-ଚେତନାରେ ଗୁଞ୍ଜିଉଠିଥିଲା।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed