June 12, 2026

ଜଙ୍ଗଲ କଟାକୁ ଅଞ୍ଚଳବାସୀଙ୍କ ବିରୋଧ 

IMG-20251125-WA0039
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଥିବା ଦୁର୍ଗମ ଓ ଘଞ୍ଚ ସଂରକ୍ଷିତ ଜଙ୍ଗଲକୁ ଧ୍ବଂସ କରିଦିଆଯାଉଛି l ଏହି ଜଙ୍ଗଲ ବିଜେପୁର ଓ ଲାଞ୍ଜିଗଡ଼ ବନବିଭାଗ ଅଧୀନରେ କଳାକୁପା ଠାରୁ ଆରମ୍ଭ ହୋଇ ଜଳକ୍ରୀଡା, ପାରାଭାଡି,ବିଜେପୁର ବୁଣ୍ଡେଲ, ସର୍ଗିଗୁଡ଼ା, ତ୍ରିଲୋଚନପୁର, ବେଲାଙ୍ଗବୁଣ୍ଡେଲ, ଡ଼ଙ୍ଗାବାହାଲ, ଓଲବାଲି, ସିରସାପଦର, କୁଦେଲପଟା,ଆମଗୁଡ଼ା ଗନ୍ଧନୀ, ବଳଭଦ୍ରପୁର, ଛତିଘାଟି ପର୍ଯ୍ୟନ୍ତ ବ୍ୟାପିଛି l ଏହି ସଂରକ୍ଷିତ ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ବିଶାଳ ଓ ମୂଲ୍ୟବାନ ଗଛ ଯେପରିକି ଶାଳ, ପିଆଶାଳ, ଶିଶୁ, ସାଗୁଆନ, ହରିଡ଼ା, ବାହାଡ଼ା, ଅଁଳା, ଆମ୍ବ, ପଣସ ଏବଂ ଆହୁରି ଅନେକ ବଡ଼ ବଡ଼ ଗଛ କଟା ଚାଲିଛି l ନିୟମଗିରି ପାଦଦେଶରେ ଥିବା ଏହି ରିଜର୍ଭ ଜଙ୍ଗଲ ଏବେ ଧ୍ବଂସାଭିମୁଖୀ l

 

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲଠୁ ଆରମ୍ଭ କରି ସ୍କୁଲ କଲେଜ ସମେତ ପଞ୍ଚାୟତ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଚାଲିଛନ୍ତି, ଅଥଚ ହଜାର ହଜାର ମୂଲ୍ୟବାନ ବିଶାଳ ବୃକ୍ଷ ସବୁ କଟା ହେବାର ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ବନାଞ୍ଚଳ ଅଧିନସ୍ଥ ନିୟମଗିରି ପାଦଦେଶରେ ଥିବା ଗନ୍ଧନୀ ସଂରକ୍ଷିତ ଜଙ୍ଗଲରେ l

 

ଏହି ଜଙ୍ଗଲ ନିକଟରେ ଥିବା ଆଦିବାସୀ ଗ୍ରାମଗୁଡ଼ିକର ଲୋକେ ଏହି ଗଛକଟାକୁ ବିରୋଧ କରୁଛନ୍ତି l କିନ୍ତୁ ସେମାନଙ୍କ କଥାରେ କେହି କର୍ଣ୍ଣପାତ କରୁନାହାନ୍ତି l ଏହି ଗଛକଟାକୁ ନେଇ ବିଶ୍ୱନାଥପୁର ବନାଞ୍ଚଳ ଦାୟୀତ୍ୱରେ ଥିବା ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ କେନ୍ଦ୍ରସରକାରଙ୍କ ଗ୍ୟାସ ପାଇପ ଲାଇନ କାମ ଚାଲିଥିବା ଯୋଗୁଁ ପାଇପ ଲାଇନ ଯିବା ସ୍ଥାନରେ ଗଛକାଟିବା ପାଇଁ କେନ୍ଦ୍ରସରକାରଙ୍କ ତରଫରୁ ଓ ଏଫ ଡ଼ି ସିଙ୍କୁ ଅନୁମତି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି l

 

ଏଠାରେ ଭାବିବା କଥା ଯେ ରାଜ୍ୟସରକାର ଜଙ୍ଗଲ ସୁରକ୍ଷା ପାଇଁ ଜୋରଦାର ସ୍ଲୋଗାନ ଦେଉଛନ୍ତି l କେନ୍ଦ୍ରସରକାର ମଧ୍ୟ ମାଆ ପାଇଁ ଗଛଟିଏ ଲଗାନ୍ତୁ ବୋଲି ନାରା ଦେଉଛନ୍ତି l କୌଣସି ରାସ୍ତାର ପ୍ରଶସ୍ତିକରଣ ପାଇଁ ରାସ୍ତା କଡ଼ରେ ଯଦି କିଛି ଛୋଟ ଛୋଟ ଗଛ କାଟିବା ଆବଶ୍ୟକ ପଡ଼େ, ତାକୁ ଜଙ୍ଗଲ ବିଭାଗ ଅନୁମତି ନ ଦେବା କାରଣରୁ ଅନେକ ସ୍ଥାନରେ ରାସ୍ତା କାର୍ଯ୍ୟ ବନ୍ଦ ରହୁଛି l ସାଧାରଣ ଗରିବ ଲୋକଟିଏ ଜାଳ କାଠ ଖଣ୍ଡେ ଆଣିଲେ ଜଙ୍ଗଲ ନଷ୍ଟ କରୁଛ କହି ବନବିଭାଗ ତା ଉପରେ ଦାଉ ସାଧୁଛନ୍ତି l ଅଥଚ ଖଣି ଖାଦାନ ଓ କାରଖାନା ନିର୍ମାଣ ପାଇଁ ବିସ୍ତୃତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ପର୍ବତ ସବୁ କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ଯାହାଦ୍ୱାରା କି ପାହାଡ଼ ପର୍ବତ ଧ୍ବଂସ ହେବା ସହିତ ଲକ୍ଷ ଲକ୍ଷ ବିଶାଳ ମୂଲ୍ୟବାନ ବୃକ୍ଷ ସବୁ କାଟି ସମ୍ପୂର୍ଣ୍ଣ ଜଙ୍ଗଲକୁ ପଦା କରି ଦିଆଯାଉଛି, ଯାହାକି ଆଉ ଶହେ ବର୍ଷରେ ମଧ୍ୟ ସେଭଳି ଜଙ୍ଗଲ ସୃଷ୍ଟି ହେବା ସମ୍ଭବ ନୁହେ l ଏପଟେ ମାଆ ନାମରେ ଗଛଟିଏ ଲଗାଇବା କହି କିଛିଟା ଚାକୁଣ୍ଡା, କନିଅର ଗଛ ପୋତି ଦେଇ ଜଙ୍ଗଲ ସୁରକ୍ଷା କରୁଛୁ ବୋଲି କହିବା ହାସ୍ୟାସ୍ପଦ ନୁହେକି ?

 

ଗଛ କଟା ଦ୍ୱାରା ଖାଲି ଯେ ଜଙ୍ଗଲ ଧ୍ବଂସ ହେଉଛି ତା ନୁହେ, ଏହା ଦ୍ୱାରା ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡୁଛି l ବନ୍ୟପ୍ରାଣୀଙ୍କର ବାସସ୍ଥଳୀ ନଷ୍ଟ ହେବାଦ୍ୱାରା ସେମାନଙ୍କର ସେମାନେ ରହିବା ପାଇଁ ସ୍ଥାନ ନ ପାଇ ଏବଂ ଖାଦ୍ୟ ପାନୀୟର ଅଭାବ ଯୋଗୁଁ ସେମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି l ପୁଣି ଜଙ୍ଗଲଜାତ ଦ୍ରବ୍ୟ ବିକି ପରିବାର ପ୍ରତିପୋଷଣ କରିବା କିଛି କିଛି ଲୋକଙ୍କର ଜୀବିକା ହୋଇଛି, ସେମାନେ ମଧ୍ୟ ଜୀବିକା ହରାଇବେ l ମୋଟାମୋଟି ଉପରେ ଦେଖିବାକୁ ଗଲେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ପରିବେଶ ସହିତ ମଣିଷ, ପଶୁପକ୍ଷୀ, ବନ୍ୟଜନ୍ତୁ ସମସ୍ତେ ପ୍ରଭାବିତ ହେବେ l

ଯାହା ଶୁଣିବାକୁ ମିଳୁଛି, ଏହି ଗ୍ୟାସ ପାଇପଲାଇନ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପାଇଁ ଉଦ୍ଦିଷ୍ଟ l ଏଥିରେ ସାଧାରଣ ଜନତାଙ୍କ କି ସ୍ୱାର୍ଥ ସାଧିତ ହେବ ? କମ୍ପାନୀ ସ୍ୱାର୍ଥରେ ହିଁ ସରକାର ଏଭଳି ସାଧାରଣ ଲୋକଙ୍କ ସ୍ୱାର୍ଥ ବିରୋଧୀ ପଦକ୍ଷେପ ନେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ

ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ / ନିୟୁଜ ଉପାନ୍ତ ଖବର