April 30, 2026

Sikandar Alam Arrested: ବାଂଲାଦେଶୀଙ୍କୁ ଆଶ୍ରୟ ଦେଇ ସିକନ୍ଦର ଆଲାମ୍‌, ମୋତାଲିଫ ଗିରଫ*

IMG-20251123-WA0000
Share

 

ଜଗତସିଂହପୁରର କୁଖ୍ୟାତ ସିକନ୍ଦର ଆଲାମ୍‌କୁ ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଓ ପୁଲିସକୁ ଆକ୍ରମଣ କରି ପଳେଇ ଯାଇବା ମାମଲାରେ ସ୍ବତନ୍ତ୍ର ପୁଲିସ ଟିମ୍ ଗିରଫ କରିଛି। ଫେରାର ହେବାର ୬ଦିନ ପରେ ପୁଲିସ ତାକୁ ଗିରଫ କରିଛି।

 

ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଓ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା କୁଖ୍ୟାତ ସିକନ୍ଦର ଆଲାମ୍ ଓରଫ୍ ସିକୋକୁ ଗିରଫ କରିଛି ଜଗତସିଂହପୁର ପୁଲିସର ସ୍ବତନ୍ତ୍ର ଟିମ୍। ଦୀର୍ଘ ୬ ଦିନର ଲୁଚକାଳି ଖେଳ ପରେ ସିକନ୍ଦରକୁ ସ୍ବତନ୍ତ୍ର ପୁଲିସ ଟିମ୍ ଗତକାଲି ବିଳମ୍ବିତ ରାତିରେ ଯାଜପୁର ଅଳକୁଣ୍ଡ ଅଞ୍ଚଳରୁ ଉଠାଇ ଆଣିଛି। ସିକନ୍ଦରକୁ ଏକ ଅଜଣା ସ୍ଥାନରେ ରଖି ପୁଲିସ ଜେରା ଚଳାଇଛି। ତା ଠାରୁ ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ସିକନ୍ଦର ଭାଇ ମୋତାଲିଫକୁ ପୁଲିସ ଖୋର୍ଦ୍ଧାରୁ ଗିରଫ କରିଛି।

 

ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗତ ୧୬ ତାରିଖ ସନ୍ଧ୍ୟାରେ ପୁଲିସ ତାର ଧନୀପୁର ବେହେରାମପୁର ଘରେ ଚଢ଼ଉ କରିଥିଲା। ସରକାରୀ ଜମିରେ ଭଡ଼ା ଘର ତିଆରି କରି ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ନେଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସିକନ୍ଦର ଓ ତା ଭାଇ ମୋତିଲାଫ୍ ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରିଥିଲା। ସେହିପରି ବାଂଲାଦେଶୀଙ୍କୁ ଆଶ୍ରୟ ଦେବା, ଗୋତି ଖଟାଇବା ଆଦି ଦଫାରେ ମାମଲା ରୁଜୁ ହୋଇଥିଲା। ଦୁଇଟି ସ୍ବତନ୍ତ୍ର ଟିମ୍ ସିକନ୍ଦରକୁ ଖୋଜୁଥିଲେ।

 

ଫେରାର ହୋଇଥିଲା ସିକନ୍ଦର

ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଧନୀପୁର ବେହେରାମପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଖବର ପାଇ ଚଢ଼ଉ କରିଥିଲା ପୁଲିସ। ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍ ହାଉସ୍‌ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ସାମିଲ ହୋଇଥିଲେ। ଚଢ଼ଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସକୁ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ୍‌ ଫେରାର ହୋଇ ଯାଇଥିଲେ। ଗଲା ବେଳେ ସିକନ୍ଦର ସାଙ୍ଗରେ ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ନେଇ ପଳାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ଅଧିକ ଫୋର୍ସ ମଗାଯାଇଥିଲା ଓ ଅଧିକାରୀମାନେ ପହଞ୍ଚିଥିଲେ। ସେତେବେଳକୁ ପ୍ରାୟ ଘଣ୍ଟାଏରୁ ଦେଢ଼ ଘଣ୍ଟା ହୋଇ ଯାଇଥିଲା। ତୁରନ୍ତ ସିକନ୍ଦର ପିଛା କରାଯାଇ ପାରି ନ ଥିଲା।