March 10, 2026

ସମସ୍ତ ଯୋଗ୍ୟତା ରହିଛି ତଥାପି ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଗ୍ରାମ କୋଠ ଘରେ ଦୁଃଖଦ ଜୀବନ ବିତାଉଛନ୍ତି …

IMG-20251104-WA0056
Share

 

 

ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ ବୁରୁପଦା ଗ୍ରାମର ବୃଦ୍ଧ ଦମ୍ପତି କରୁଣାକର ନାୟକ ଓ ଚନ୍ଦ୍ରମା ନାୟକଙ୍କ ଲାଗି ମୁଣ୍ଡ ଗୁଞ୍ଜିବାକୁ ନିଜର ଘର ନାହିଁ । ଏମାନଙ୍କ ସହ ଗ୍ରାମବାସୀ ମାନେ ସରକାରୀ ଘର ଖଣ୍ଡିଏ ପାଇଁ ବାରମ୍ବାର ନିବେଦନ କରିଛନ୍ତି। ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି।ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିବା ପାଇଁ ଯେତିକି ଯୋଗ୍ୟତା ରହିବା କଥା ସେ ସମସ୍ତ ଯୋଗ୍ୟତା ଏହି ବୃଦ୍ଧ ଦମ୍ପତିଙ୍କ ଠାରେ ରହିଛି।ତଥାପି ସେମାନଙ୍କୁ ଘର ଖଣ୍ଡେ ଯୋଗାଇ ଦିଆ ଯାଉନାହିଁ।ସମ୍ପୃକ୍ତ ଦମ୍ପତିଙ୍କୁ କେଉଁ କାରଣରୁ କାହିଁକି ଘରଟିଏ ଦିଆ ଯାଉନାହିଁ ତାହାର ବର୍ତ୍ତମାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି।ଏହି ଦମ୍ପତି ବହୁ ଦିନ ହେଲା ଗାଆଁ କୋଠ ଘରେ ଜୀବନ କାଟୁଛନ୍ତି। ଦମ୍ପତିଙ୍କ କେହି ସନ୍ତାନ ସନ୍ତତି ନଥିବାରୁ ପରିଣତ ବୟସରେ ଯତ୍ନ ନେବାକୁ କେହି ନାହାନ୍ତି। ଭତ୍ତା ଟଙ୍କାରେ ଦିନ କଟୁଛି। କୁଡ଼ିଆ ଘର ତିଆରି କରିଥିଲେ କିନ୍ତୁ ଗତ ତିତିଲି ବାତ୍ୟାରେ ସବୁ ଭାଙ୍ଗି ଯାଇଥିଲା । ସେବେ ଠାରୁ ଗ୍ରାମର ଏକ ଭଙ୍ଗା ମାଟି ଘରେ ରହୁଛନ୍ତି ଏହି ଦମ୍ପତି। ତେଣୁ ଏହି ଦମ୍ପତିଙ୍କ ପାଇଁ ଘର ଖଣ୍ଡେ ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମର କିଛି ଭଦ୍ର ଲୋକ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଦରଖାସ୍ତ କରି ବହୁ ନିବେଦନ କରିଛନ୍ତି।ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି।ଅଞ୍ଚଳବାସୀ କହିଛନ୍ତି ସରକାରୀ ଘର ଯୋଗାଇବା ପାଇଁ ଏହି ଦମ୍ପତିଙ୍କର ସମସ୍ତ ପ୍ରକାର ଯୋଗ୍ୟତା ରହିଛି ହେଲେ କାହିଁକି ଏଭଳି ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଦମ୍ପତିଙ୍କୁ ଘର ଖଣ୍ଡେ ଦିଆ ଯାଉନାହିଁ ବୋଲି ପ୍ରଶ୍ନ ଉଠୁଛି। ଗଜପତି ଜିଲ୍ଲାର ଜିଲ୍ଲାପାଳ ମହାଶୟା ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।