April 28, 2026

ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

IMG-20251026-WA0035
Share

 

 

ବେଲଗୁଣ୍ଠା,୨୭/୧୦,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ନିକଟରେ ଘୁମୁସର ମାଟିର ଆରାଧ୍ୟା ଦେବି ରୂପେ ପୂଜା ପାଉଥିବା ଜଙ୍ଗଲ ରାଣୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ପାଇଁ ଆଜି ମାଆଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଅଞ୍ଚଳର ଇଷ୍ଟ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଦିନ ଲକ୍ଷାଧିକ ଜନ ସମାଗମକୁ ଆଖି ଆଗରେ ରଖି ଯାତ୍ରାର ଶୃଙ୍ଖଳିତ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏସ୍ଆଇ ଅଜୟ ମଲ୍ଲିକ୍, ଏଏସ୍ଆଇ ବି ୱାଇ ନାଇଡୁଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ଏବଂ କମିଟି ଉପସଭାପତି ସୁରେନ୍ଦ୍ର କୁମାର ଡାକୁଆ,ସମ୍ପାଦକ ରମେଶ ରାଉତ, କୋଷାଧ୍ୟକ୍ଷ ଦୂର୍ଗା ମାଧବ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ପରିଚାଳନା କମିଟି ସଦସ୍ୟ ପ୍ରଦ୍ୟୁମ୍ନ ପାତ୍ର, ଦୈତାରୀ ମହାରଣା, ସଞ୍ଜୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ପିତାମ୍ବର ବିଷୋୟୀ, ବିପିନି ବିହାରୀ ମହାରଣା, ଚନ୍ଦ୍ରକାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ରହିଥିଲେ I ଯାତ୍ରାରେ ଗତବର୍ଷ ୮୦ ହଜାରରୁ ଉର୍ଦ୍ଧ୍ଵ ଜନସମାଗମ ହୋଇଥିବା ବେଳେ ଚଳିତ ବର୍ଷ ଧାନକଟା ଆରମ୍ଭ ହୋଇନଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଲକ୍ଷେ ପାର୍ ହେବ ବୋଲି ଆକଳନ କରାଯାଇଛି I ଏହି ଜନସମାଗମକୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି I ବିଶେଷ କରି ସୋରଡା, ଭଞ୍ଜନଗର, କନ୍ଧମାଳ, ବ୍ରହ୍ମପୁର, ନୟାଗଡ଼ ଆଦି ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡ଼ି ଏବଂ ସ୍ଥାନୀୟ ଲୋକଙ୍କ ଗାଡ଼ି ସାଇକେଲ୍ ର ଊପଯୁକ୍ତ ପାର୍କିଙ୍ଗ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ଉଠା ଦୋକାନୀଙ୍କ ନିମନ୍ତେ ସ୍ଥାନ ନିରୂପଣ, ଭକ୍ତଙ୍କୁ ପ୍ରସାଦ ବଣ୍ଟନ ନେଇ ଆଲୋଚନା କରାଯାଇଥିଲା I ଆସନ୍ତା ମାସ ପାଞ୍ଚ ତାରିଖ ବୁଧବାର ଦିନ କାର୍ତ୍ତିକ ପୂର୍ଣ୍ଣମୀ ତିଥି ପଡୁଥିବା ବେଳେ ଭୋର୍ ଚାରି ଘଣ୍ଟା ପଚାଶ ମିନିଟ୍ ରେ ମନ୍ଦିର ଖୋଲାଯିବା ସହ ଅବକାଶ, ୫:୧୫ ରେ ଆଳତି, ଧୂପ ଦୀପ ସହିତ ରାଜଭୋଗ ଅନୁଷ୍ଠିତ ହେବ I ସକାଳ ୫:୩୦ ସମୟରେ ସର୍ବସାଧରଣଙ୍କ ନିମନ୍ତେ ମାଆ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି I ପୁଣି ୧୧:୩୦ ରେ ଅନ୍ନଭୋଗ, ସନ୍ଧ୍ୟା ୬:୦୦ ରେ ସନ୍ଧ୍ୟା ଆଳତି ଏବଂ ୭:୦୦ ରେ ଅନ୍ନ ଭୋଗ ପରେ ୭:୩୦ ରେ ମାଆଙ୍କ ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ନିଷ୍ପତି ନିଆଯାଇଛି I ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରାୟ ଚାରି ପ୍ଲାଟୁନ ପୋଲିସ୍ ଯୋଗାଇଦେବା ପାଇଁ ପୋଲିସ୍ ବିଭାଗକୁ ଅନୁରୋଧ କରାଯାଇଛି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ