April 29, 2026

କେସିଙ୍ଗା ଏଫ.ସି.ଆଇ କର୍ତୃପକ୍ଷ ଓ ମିଲର୍ସଙ୍କ ମଧ୍ୟରେ ବିବାଦ। ମିଲର୍ସ କଲେ ଜିଲ୍ଲାପାଳଙ୍କୁ ଅଭିଯୋଗ

IMG-20251012-WA0011
Share


ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ କିଛିଦିନ ହେଲା ଏଫ.ସି.ଆଇ ଓ ମିଲମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ବର୍ତମାନ ଚର୍ଚ୍ଚାରେ। ଏହି ବିବାଦ ବିଷୟରେ ସ୍ଥାନୀୟ ମିଲମାଲିକ ମାନେ ଜଣାଇଛନ୍ତି ଯେ’, କେସିଙ୍ଗା ଏଫ.ସି.ଆଇ କର୍ତୃପକ୍ଷ ଗୋଦାମରେ ମିଲର୍ସ ମାନଙ୍କୁ ଚାଉଳ ଡମ୍ପ କରିବାପାଇଁ ଲଟ ପିଛା ୩୫OO ଟଙ୍କା ଖୋଲାଖୋଲି ଭାବରେ ମାଗୁଥିବା ବେଳେ, ଟଙ୍କା ନଦେଲେ ଚାଉଳ ବୋଝଇ ଟ୍ରକ ଗୁଡିକ ରାସ୍ତା କଡରେ ଧାଡି ବାନ୍ଧି ଠିଆ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ମିଲର୍ସ ମାନେ ଆହୁରି କହିଛନ୍ତି ଯେ’ ଆଗରୁ ମଧ୍ୟ ଏଫ.ସି.ଆଇ କର୍ତୃପକ୍ଷଙ୍କୁ ଟଙ୍କା ଦିଆଯାଉଥିଲା କିନ୍ତୁ ତାହା ଚାଉଳର ଗୁଣବତ୍ତା ପରୀକ୍ଷା ଉପରେ ନିର୍ଭର କରୁଥିଲା। କିନ୍ତୁ ବର୍ତମାନ ଯେଉଁ ମିଲର୍ ଲଟ ପିଛା ୩୫OO ଟଙ୍କା ଅନିଚ୍ଛା ସତ୍ୱେ ବାଧ୍ୟ ହୋଇ ଦେଉଛନ୍ତି, ସେମାନଙ୍କୁ ଚାଉଳ ଅନଲୋଡ଼ ପାଇଁ ଅନୁମତି ଦିଆ ଯାଉଛି ଏବଂ ଚାଉଳର ଗୁଣବତ୍ତା ପରୀକ୍ଷା କରାନଯାଇ ତଥା ପ୍ଳାଟଫୋର୍ମରେ ଅନଲୋଡ଼ କରିବା ନିୟମ ଥିବାବେଳେ, ପେସେଜରେ ଅନଲୋଡ଼ କରିବାକୁ ବାଧ୍ୟ କରାଯାଉଛି।ଆହୁରି ମଧ୍ୟ କହିଛନ୍ତି ଯେ’ ଏଫ.ସିଆଇ କର୍ତୃପକ୍ଷଙ୍କ ଯଦି ଏପରି ମନୋବୃତ୍ତି ରହେ, ତାହାହେଲେ ଆଗକୁ ମିଲର୍ସ ଓ ଚାଷୀ ଉଭୟେ ହଇରାଣ ହେବେ। ବର୍ତ୍ତମାନ ଅକ୍ଟୋବର ମାସ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ମିଲମାନଙ୍କରୁ ଖରିଫ ଧାନ ସରିନି ଏବଂ ଦେଖୁ ଦେଖୁ ମାସେ, ଦୁଇ ମାସ ମଧ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଯିବ କିନ୍ତୁ ମିଲରେ ଜାଗା ନଥିଲେ ଧାନ କିପରି କିଣାଯିବ ଏବଂ ଏନେଇ ଚାଷୀଭାଇ ମାନେ ହଇରାଣ ହେବେ ଏବଂ ଏହାର ପରବର୍ତ୍ତୀ ଘଟଣା ମାନଙ୍କ ଯୋଗୁଁ ମିଲର୍ସ ମାନଙ୍କ ଉପରେ ଧାନ କିଣିବା ପାଇଁ ରାଜନୈତିକ ଚାପ ପଡିବା ନେଇ ମିଲର୍ସ ମାନଙ୍କ ଚିନ୍ତା ବଢ଼ାଇଦେଇଛି। ତେଣୁ ଏହି ସବୁ ସମସ୍ୟା ଓ ଖୋଲା ଖୋଲି ଦୁର୍ନୀତିକୁ ବିରୋଧ କରି ମିଲ ମାଲିକ ମାନଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ଅତିଶୀଘ୍ର ସମାଧାନ ନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ସମସ୍ୟାକୁ ଗମ୍ଭୀରତାର ସହ ନେଇ କଳାହାଣ୍ଡି ଜିଲ୍ଲାପାଳ ମିଲମାଲିକ ମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ’ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

You may have missed