June 12, 2026

ରାଜ୍ୟ ସଂସ୍କୃତି ବିଭାଗର ନିଷ୍ପତ୍ତି : ଦକ୍ଷିଣ ଓଡ଼ିଶାର 14 ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

IMG-20250929-WA0017
Share

 

 

ବ୍ରହ୍ମପୁର,29/9 : ପୂଜ୍ୟପୂଜା ପରମ୍ପରାକୁ ଆଉ ଟିକେ ଆଗକୁ ନିଆଯିବ। ଓଡ଼ିଶାର ଆଉ କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସାର୍ବଜନୀନ ସ୍ଥାନରେ ପ୍ରତିଷ୍ଠା କରାଯିବ। ଫଳରେ ଉତ୍ତରପିଢ଼ି ଆମ ବରପୁତ୍ରମାନଙ୍କୁ ନେଇ ଅଧିକ ସଚେତନ ହେବେ। ଏନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଶାରେ ଜାତୀୟ ଓ ରାଜ୍ୟସ୍ତରୀୟ ବରପୁତ୍ରଙ୍କ 75ଟି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ 14 କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଏହି ସମସ୍ତ କାର୍ଯ୍ୟ 2026 ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଜିଲ୍ଲାରେ ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ, କୋରାପୁଟ ଜିଲ୍ଲାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ, କଳାହାଣ୍ଡି ଜିଲ୍ଲାରେ ରେଣ୍ଡୋ ମାଝୀ, ସୋନପୁର ଜିଲ୍ଲାରେ ଭୀମଭୋଇ ଏବଂ ରାୟଗଡ଼ା ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଆବାହକ ରବି ରଥ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କୋଦଳା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ବନମାଳି ମହାରଣାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉକ୍ତ ତାଲିକାରେ ସ୍ଥାନିତ କରିବା ପାଇଁ ଶ୍ରୀ ରଥ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଏ ସମ୍ପର୍କରେ ଶ୍ରୀ ରଥ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ଓ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ଵର ଠାରେ କରାଯିବା ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ କରାଯିବାକୁ ଅନୁରୋଧ କରିଛନ୍ତି ।

 

 

(ରବି ରଥ)

ଆବାହକ

You may have missed