ଆମ ଗ୍ରହକୁ ଶୀତଳ ରଖିବା ପାଇଁ ବିଶ୍ୱ ସ୍ତରୀୟ ପ୍ରୟାସ
ଡା. ରାଜାରାମ ଷଡ଼ଙ୍ଗୀ
ପୃଥିବୀ ଆମର ଘର। ଏହି ଘରର ବାୟୁ, ଜଳ, ମାଟି, ଜଙ୍ଗଲ, ନଦୀ, ପାହାଡ଼ ଓ ଜୀବଜନ୍ତୁ ସଭିଙ୍କୁ ନେଇ ଆମ ଜୀବନର ଆଧାର। କିନ୍ତୁ ମଣିଷର ଅତ୍ୟଧିକ ଭୋଗବାଦ, ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର, ଜଙ୍ଗଲ ଧ୍ୱଂସ ଓ ଅନିୟନ୍ତ୍ରିତ ଶିଳ୍ପାୟନ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଫଳରେ ବଢ଼ୁଛି ଗ୍ରୀଷ୍ମର ତୀବ୍ରତା, ଅନିୟମିତ ବର୍ଷା, ବନ୍ୟା, ମରୁଡ଼ି, ଘୂର୍ଣ୍ଣିବାତ୍ୟା ଓ ଅନ୍ୟାନ୍ୟ ଚରମ ପାଣିପାଗ ଘଟଣା ଏବେ ନିତିଦିନିଆ ହୋଇଗଲାଣି।
ପୃଥିବୀକୁ ‘ଶୀତଳ’ ରଖିବା ଅର୍ଥ କେବଳ ଗଛ ଲଗାଇବାର ଏକ ସାଧାରଣ କାର୍ଯ୍ୟ ନୁହେଁ,ଏହା ଏକ ବିଶ୍ୱସ୍ତରୀୟ ଜୀବନରକ୍ଷା ଅଭିଯାନ। ଏଥିପାଇଁ ଦେଶ, ସରକାର, ଶିଳ୍ପସଂସ୍ଥା, ବୈଜ୍ଞାନିକ ସମୁଦାୟ ଓ ସାଧାରଣ ଲୋକଙ୍କୁ ଏକାଠି ହେବାକୁ ପଡ଼ିବ।
ଜଳବାୟୁ ପରିବର୍ତ୍ତନର ମୂଳ କାରଣ ଖୋଜିଲେ ମନ ଭିତରେ ଉଙ୍କି ମାରେ ବାୟୁମଣ୍ଡଳ କଥା।କୋଇଲା, ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ ଜଳିବା ସମୟରେ ବହୁ ପରିମାଣରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଉଷ୍ମାଧାରୀ ଗ୍ୟାସ ବାୟୁମଣ୍ଡଳକୁ ଯାଏ। ଏହି ଗ୍ୟାସଗୁଡ଼ିକ ପୃଥିବୀରୁ ବାହାରୁଥିବା ଉଷ୍ମାର କିଛି ଅଂଶକୁ ଧରି ରଖିଥାଏ। ଏହାକୁ ହିଁ ଗ୍ରୀନହାଉସ୍ ପ୍ରଭାବ କୁହାଯାଏ।ପ୍ରାକୃତିକ ଭାବେ ଗ୍ରୀନହାଉସ୍ ପ୍ରଭାବ ଜୀବନ ପାଇଁ ଆବଶ୍ୟକ। କିନ୍ତୁ ମଣିଷର କାର୍ଯ୍ୟକଳାପ ଏହାକୁ ଅତ୍ୟଧିକ ବଢ଼ାଇ ଦେଇଥିବାରୁ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି। ତେଣୁ ଆଜିର ଚ୍ୟାଲେଞ୍ଜ କେବଳ ‘ପାଣିପାଗ’ର ନୁହେଁ, ଏହା ଖାଦ୍ୟ, ପାଣି, ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି ଓ ମାନବ ସୁରକ୍ଷାର ପ୍ରଶ୍ନ ଉଠାଉଛି।
ଜଳବାୟୁର କୌଣସି ସୀମା ନାହିଁ। ଗୋଟିଏ ଦେଶରୁ ନିର୍ଗତ ହେଉଥିବା ଗ୍ରୀନହାଉସ୍ ଗ୍ୟାସର ପ୍ରଭାବ କେବଳ ସେହି ଦେଶ ମଧ୍ୟରେ ସୀମିତ ରହେ ନାହିଁ। ସେଥିପାଇଁ ଜଳବାୟୁ ସଙ୍କଟର ସମାଧାନ ମଧ୍ୟ ଏକ ଦେଶର ଏକାକୀ ପ୍ରୟାସରେ ସମ୍ଭବ ନୁହେଁ।ଏହି ଚିନ୍ତାଧାରାରୁ ବିଶ୍ୱସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ପ୍ୟାରିସ୍ ଚୁକ୍ତି ମାଧ୍ୟମରେ ଦେଶଗୁଡ଼ିକ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଯଥାସମ୍ଭବ ସୀମିତ ରଖିବା ପାଇଁ ସାମୂହିକ ଲକ୍ଷ୍ୟ ଗ୍ରହଣ କରିଛନ୍ତି। ଏହା ସହିତ ପ୍ରତିବର୍ଷ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀଗୁଡ଼ିକରେ ନିର୍ଗମନ ହ୍ରାସ, ଜଳବାୟୁ ଅର୍ଥାୟନ, ଅନୁକୂଳନ ଓ କ୍ଷୟ-କ୍ଷତି ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି।
ପୃଥିବୀକୁ ଶୀତଳ ରଖିବାର ସବୁଠାରୁ ବଡ଼ ଉପାୟ ହେଉଛି ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ କମାଇବା। ଏଥିପାଇଁ ସୌର, ପବନ, ଜଳବିଦ୍ୟୁତ ଓ ଅନ୍ୟାନ୍ୟ ସ୍ୱଚ୍ଛ ଶକ୍ତି ଉତ୍ସର ବ୍ୟବହାର ବଢ଼ାଇବା ଆବଶ୍ୟକ।ବିଶ୍ୱର ବିଭିନ୍ନ ଦେଶ ଏବେ ନବୀକରଣଯୋଗ୍ୟ ଶକ୍ତି, ବିଦ୍ୟୁତ ଯାନ, ଶକ୍ତି-ସଞ୍ଚୟକାରୀ ପ୍ରଯୁକ୍ତି ଓ ସବୁଜ ଶିଳ୍ପରେ ବିନିଯୋଗ ବଢ଼ାଉଛନ୍ତି। କିନ୍ତୁ ପରିବର୍ତ୍ତନର ଗତି ଆହୁରି ଦ୍ରୁତ ହେବା ଦରକାର।
ପୃଥିବୀର ତାପମାତ୍ରା ନିୟନ୍ତ୍ରଣରେ ଜଙ୍ଗଲର ଭୂମିକା ଅସାଧାରଣ। ଗଛ ଅଙ୍ଗାରକାମ୍ଳ ଶୋଷଣ କରେ, ଜଳଚକ୍ରକୁ ସହାୟତା କରେ ଏବଂ ସ୍ଥାନୀୟ ପରିବେଶକୁ ଶୀତଳ ରଖେ। ତେଣୁ ନୂଆ ଗଛ ଲଗାଇବା ସହିତ ପୁରୁଣା ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା କରିବା ଅଧିକ ଜରୁରୀ।କେବଳ ‘କେତେ ଗଛ ଲଗାଗଲା’ ତାହା ନୁହେଁ, ‘କେତେ ଜଙ୍ଗଲ ବଞ୍ଚିଲା’,ଏହା ମଧ୍ୟ ଆମର ପରିବେଶୀୟ ସଫଳତାର ମାପଦଣ୍ଡ ହେବା ଉଚିତ।ଦ୍ରୁତ ସହରୀକରଣ ଯୋଗୁଁ କଂକ୍ରିଟ୍ ଓ ଡାମର ଅଞ୍ଚଳ ବଢ଼ୁଛି। ଏହା ସହରରେ ‘Urban Heat Island’ ପ୍ରଭାବ ବଢ଼ାଇଥାଏ। ତେଣୁ ସହରରେ ଗଛ, ପାର୍କ, ଜଳାଶୟ, ଖୋଲା ସ୍ଥାନ ଓ ସବୁଜ କରିଡର୍କୁ ସୁରକ୍ଷା ଦେବା ଆବଶ୍ୟକ।ଛାତ ଉପରେ ସୌର ପ୍ୟାନେଲ, ସବୁଜ ଛାତ, ଶକ୍ତି-ସଞ୍ଚୟକାରୀ ଭବନ ଓ ସାର୍ବଜନୀନ ପରିବହନ ଭଳି ବ୍ୟବସ୍ଥା ସହରକୁ ଅଧିକ ସ୍ଥାୟୀ କରିପାରିବ।
ଭାରତ ଏକପଟେ ଦ୍ରୁତ ବିକାଶର ପଥରେ ଆଗକୁ ବଢ଼ୁଛି, ଅନ୍ୟପଟେ ଜଳବାୟୁ ସଙ୍କଟର ପ୍ରଭାବ ମଧ୍ୟ ଅନୁଭବ କରୁଛି। ତେଣୁ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ଆବଶ୍ୟକ।ଓଡ଼ିଶା ପାଇଁ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱପୂର୍ଣ୍ଣ। ସମୁଦ୍ରତଟୀୟ ଅଞ୍ଚଳ, ଜଙ୍ଗଲ, ନଦୀ ଓ ଖଣିଜ ସମ୍ପଦ ଉପରେ ନିର୍ଭର ଅର୍ଥନୀତି ଜଳବାୟୁ ଓ ପରିବେଶୀୟ ପରିବର୍ତ୍ତନର ପ୍ରଭାବ ସହିତ ଜଡ଼ିତ। ଶିଳ୍ପାୟନ ଆବଶ୍ୟକ, କିନ୍ତୁ ତାହା ନଦୀ, ଜଙ୍ଗଲ, ଜମି ଓ ଲୋକଙ୍କ ସ୍ୱାସ୍ଥ୍ୟର ମୂଲ୍ୟରେ ହେବା ଉଚିତ ନୁହେଁ।ଜଳବାୟୁ ସୁରକ୍ଷା କେବଳ ସରକାରଙ୍କ କାମ ନୁହେଁ। ଆମର ଛୋଟ ଛୋଟ ଅଭ୍ୟାସ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ।ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ଏଡ଼ାଇବା, ସାର୍ବଜନୀନ ପରିବହନ ଓ ସାଇକେଲ୍ର ବ୍ୟବହାର ବଢ଼ାଇବା, ପ୍ଲାଷ୍ଟିକ୍ ଓ ଏକବାର ବ୍ୟବହୃତ ସାମଗ୍ରୀ କମାଇବା, ଖାଦ୍ୟ ଅପଚୟ ରୋକିବା, ଜଳ ସଂରକ୍ଷଣ କରିବା ଓ ସ୍ଥାନୀୟ ଗଛଗୁଡ଼ିକୁ ସୁରକ୍ଷା କରିବା ଭଳି ଭଲ ପଦକ୍ଷେପ ହେଉଛି ଜଳବାୟୁ ସୁରକ୍ଷାର ଅଂଶ।ଏଣୁ ଶୀତଳ ପୃଥିବୀ ପାଇଁ ନୂଆ ସଂକଳ୍ପ ନେବାର ସମୟ ଆସିଛି।ଆମେ ଏମିତି ଏକ ବିକାଶ ମଡେଲ୍ ଆବଶ୍ୟକ କରୁଛୁ, ଯେଉଁଠାରେ ଅର୍ଥନୈତିକ ପ୍ରଗତି ସହିତ ପରିବେଶ ସୁରକ୍ଷା ମଧ୍ୟ ଚାଲିବ। ଶିଳ୍ପ ହେଉ, କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ସହିତ। ସହର ବଢ଼ୁ, କିନ୍ତୁ ଜଳାଶୟ ଓ ସବୁଜ ଅଞ୍ଚଳ ନଷ୍ଟ ନହେଉ। ରାସ୍ତା ହେଉ, କିନ୍ତୁ ଗଛ ଓ ପ୍ରାକୃତିକ ଜଳପଥର ସୁରକ୍ଷା ହେଉ। ବିକାଶ ହେଉ, କିନ୍ତୁ ଆଗାମୀ ପିଢ଼ିର ଅଧିକାରକୁ ବନ୍ଧକ ରଖିବା ଭଳି ନୁହେଁ।ବରଂ ଏହି ପିଢ଼ିକୁ ସୁରକ୍ଷିତ ରଖିବା ଭଳି ସାମୁହିକ ଉଦ୍ୟମ ଲୋଡ଼ା।
ପୃଥିବୀକୁ ଶୀତଳ ରଖିବାର ଅର୍ଥ କେବଳ ତାପମାତ୍ରା କମାଇବା ନୁହେଁ। ଏହା ମଣିଷ ଓ ପ୍ରକୃତି ମଧ୍ୟରେ ହରାଇଯାଉଥିବା ସନ୍ତୁଳନକୁ ପୁନଃସ୍ଥାପନ କରିବା। ଏହି ଲଢ଼େଇରେ କୌଣସି ଦେଶ ଏକା ଜିତିପାରିବ ନାହିଁ। ବିଶ୍ୱକୁ ଏକାଠି ହେବାକୁ ପଡ଼ିବ, ଏବଂ ପ୍ରତ୍ୟେକ ମଣିଷକୁ ନିଜ ଭୂମିକା ନେବାକୁ ପଡ଼ିବ।ଆଜିର ଏକ ଗଛ ଆସନ୍ତାକାଲିର ଛାୟା। ଆଜିର ଏକ ସଚେତନ ପଦକ୍ଷେପ ଆଗାମୀ ପିଢ଼ିର ନିରାପଦ ଭବିଷ୍ୟତ ଏହାକୁ ପ୍ରତିଟି ମଣିଷ ଉପଲବ୍ଧି କରିବାକୁ ପଡିବ।
ଏହା ସ୍ପଷ୍ଟ ବାର୍ତ୍ତା ଦିଏକି ପୃଥିବୀ ଆମର ସମ୍ପତ୍ତି ନୁହେଁ,ଏହା ଆମ ଆଗାମୀ ପିଢ଼ି ପାଖରୁ ଆମେ ଧାର ନେଇଥିବା ଏକ ଅମୂଲ୍ୟ ଘର। ତାହାକୁ ଉତ୍ତପ୍ତ ନୁହେଁ, ସୁସ୍ଥ, ସବୁଜ ଓ ଶୀତଳ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ।
ଫୋନ :୯୪୩୭୪୦୫୪୫୫
